ନାହିଁ କେହୁ ତାର ପରି
ନାହିଁ କେହୁ ତାର ପରି
ଅତିହିଁ ସୁନ୍ଦର ଗାଆଁଟି ମୋହର
ସୁନ୍ଦର ମୋ ଜଗନ୍ନାଥ
ଦୁଃଖ ଓ ଯନ୍ତ୍ରଣା ଭୁଲି ଥାଏ ମୁହିଁ
ଗାଇ ଗାଇ ଦୀନନାଥ।
ଓଡ଼ିଆ ଙ୍କ ଭୂମି ଓଡ଼ିଆ ସଂସ୍କୃତି
ଗର୍ବିତ କରୁଛି ଯହିଁ,
ରାଧାକୃଷ୍ଣଙ୍କର ଜୟ ଧ୍ବନି ଯହିଁ
ଗାଆଁ ଟି ଆମର ତହିଁ।
ଖଡ଼ଖାଇ ନଈ ପଥଗାମୀ ଯହିଁ
କୁଳେ ଅଛି ଶିବାଳୟ,
ନମଃଶିବାୟର ରାବ୍ ଗୁଞ୍ଜୁଥାଏ
ଗାଆଁଟିରେ ଦେବାଳୟ।
ସ୍ବର୍ଗ ପରି ଏଠି ସୌନ୍ଦର୍ଯ୍ୟ ଭୂଷିତ
ବାସ୍ତବରେ ଦେବ ଭୂମି,
କୁଳେ ଅଛି ଯହିଁ ତପସ୍ୟାର ସ୍ଥଳୀ
ଏହୁ ତପସ୍ୟାର ଭୂମି।
ଆଶ୍ରମ ଏହୁରେ ରାମବାବାଙ୍କର
ଜ୍ଞାନ ପାଇ ଥିଲେ ଏଠି,
ଗୀତ ଧର୍ମ ଜ୍ଞାନ ଦେଇ ଥିଲେ ସେହୁ
ତାଙ୍କରି ପୂଜନ ଏଠି।
ରୋମାଞ୍ଚିତ ଦେହ ମନ ଉତ୍ସାହିତ
ଗାଆଁର ଦର୍ଶନ କଲେ,
ଭୁଲି ଯାଏ ମୁହିଁ କଷ୍ଟ ଓ ଯନ୍ତ୍ରଣା
ଗାଆଁ କଳେ ମୁହିଁ ଥିଲେ।
କୀର୍ତ୍ତନ ଭଜନ କୀର୍ତ୍ତନ ମନ୍ଦିରେ
ହେଉଥାଏ ପ୍ରତିଦିନ,
ହରେ କୃଷ୍ଣ ରାମ ଗୁଞ୍ଜେ ଅନୁକ୍ଷଣ
ଭାବଭକ୍ତି ନିତିଦିନ।
ଗଜଲକ୍ଷ୍ମୀ ପୂଜା ହୁଏରେ ଗାଆଁରେ
ସଜ୍ଜିତ ହୁଏ ପେଣ୍ଡଲ,
ଓଡ଼ିଆ ନାଟକ ମଞ୍ଚସ୍ଥ ହୁଏରେ
ଯୁବଙ୍କରେ କୁତୁହୋଳ।
କୋଣାର୍କ ନାମରେ ଯୁବକ ସଂଘଟି
ସ୍ଥାପିତ ଭାଇରେ ଏଠି,
ଓଡ଼ିଆ ଉନ୍ନତି ଭାଷାର ସୁରକ୍ଷା
କୋଣାର୍କର ମନ୍ତ୍ର ଏଠି।
ଆଦର୍ଶ ଗାଆଁ ଟି ବିଚ୍ଛିନ୍ନାଞ୍ଚଳର
ଖଣ୍ଡାୟତ ଗାଆଁ ଏହୁ,
ବୀରତ୍ବରେ ଭରା ଇତିହାସ ଯାର
ଓଡ଼ିଆ ଭୂଇଁଟି ଏହୁ।
ସତ୍ୟ ଅହିଂସାର ଭୂମି ପରା ଏହୁ
ରାଷ୍ଟ୍ର ଭକ୍ତି ସର୍ବୋପରି,
ଅନ୍ୟାୟ ବିରୁଦ୍ଧେ ଲଢେ଼ଇ କରିବା
କାର୍ଯ୍ୟ ଶୈଳୀରେ ତାଙ୍କରି।
ରାଷ୍ଟ୍ରର କାର୍ଯ୍ୟରେ ସମର୍ପଣ ଭାବ
ତ୍ୟାଗ ଶ୍ରଦ୍ଧା ଭକ୍ତି ଯହିଁ,
ଶିକ୍ଷିତ ସମସ୍ତେ ପଢି ମାତୃଭାଷା
ଭାଷାର ଗୌରବ ଏହିଁ।
ଓଡିଆଙ୍କ ଭୂମି ଏହୁ ସିଂହଭୂମି
ଓଡ଼ିଆ ସମ୍ମାନ ମିଳୁ,
ସୁରକ୍ଷାରେ ତାର ଯାଉ ପଛେ ପ୍ରାଣ
ଶିକ୍ଷାମାତୃଭାଷା ମିଳୁ।
ଏକତ୍ରିତ ହୁଅ ସିଂହଭୂମବାସୀ
ଉଚିତ ସମୟ ଏହୁ,
ଜନନୀର ଭାଷା ଓଡ଼ିଆ ଭାଷାରେ
ପ୍ରାରମ୍ଭିକ ଶିକ୍ଷା ରହୁ।
ନୂଆ ଶିକ୍ଷା ନୀତି ହୋଇଛି ରାଷ୍ଟ୍ରରେ
ବାଧ୍ୟତାମୂଳକ ପରା,
ପଢିବେ ସନ୍ତାନେ ମାତୃଭାଷାରେଟି
ଜନନୀ ଭାଷାରେ ସାରା ।