STORYMIRROR

Pranati Panda

Abstract Classics

4  

Pranati Panda

Abstract Classics

ନଅ ଦିନେ ନବ ରୂପେ(ଶକ୍ତି ସ୍ୱରୂପା

ନଅ ଦିନେ ନବ ରୂପେ(ଶକ୍ତି ସ୍ୱରୂପା

1 min
404


ଏକଇ ଜନନୀ ମାଆ ଗୋ ଭବାନୀ

ବିଶ୍ଵ ମାତା ବନ୍ଦନୀୟା ,

ସର୍ବ ଫଳଦାତ୍ରୀ ମା ଆଦି ଶକତି

ଦୟାମୟୀ ମହାମାୟା । ୧।


ନବ ଦିନେ ମା' ଗୋ ମାତୃ ଦେବୋ ଭବ

ଉଭା ନଅଟି ସ୍ଵରୁପେ ,

ସର୍ବ ପୂଜା ଫଳ ପ୍ରଦାନେ କେବଳ

ପୂଜା ପା'ନ୍ତି ନବ ରୂପେ ।୨।


ଗିରି ରାଜଜେମା ହିମାଳୟ କନ୍ୟା

ନାମ ତେଣୁ ଶୈଳପୁତ୍ରୀ,

ପ୍ରଥମ ଦିବସେ ଜଗତେ ହରଷେ 

ପୂଜା ପା'ନ୍ତି ଜଗଧାତ୍ରୀ ।୩।


ନିତ୍ୟା ସଂହାରିଣୀ ମା ବ୍ରହ୍ମ ଚାରିଣୀ 

ଦ୍ଵିତୀୟେ ଦିନେ ପୂଜିତା,

କମଣ୍ଡଳୁ ସାଥେ ରୁଦ୍ରାକ୍ଷର ମାଳେ

ଦେବୀ ରୂପେ ସେ ଶୋଭିତା ।୪।


ତୃତୀୟ ସ୍ଵରୁପେ ଚନ୍ଦ୍ରଘଣ୍ଟା ରୂପେ 

ବିଜେ ମା ବିଶ୍ଵଜନନୀ,

ଲଲାଟେ ଶୋଭିତ ଅର୍ଦ୍ଧ ଚନ୍ଦ୍ର ମାତ 

ଉଗ୍ରମୂର୍ତ୍ତି ନାରାୟଣୀ ।୫।


ଚତୁର୍ଥ ଦିବସେ କୁଷ୍ମାଣ୍ଡା ସ୍ଵରୂପେ  

ଉଡ଼େ ମା ' ଗୋ ଜୟ ଧ୍ଵଜା ,

ଅମୃତ କଳସେ ଜପା ମାଳି ସାଥେ

ମାତା ପାଇଥାନ୍ତି ପୂଜା ।୬।


ପଞ୍ଚମ ଦିନରେ ସ୍କନ୍ଦମାତା ରୂପେ

ବିରାଜନ୍ତି ଦଶଭୁଜା, 

କୋଳେ ପୂତ୍ର ଧରି ଜଗତ ଆବୋରି

ମାତା ପାଇଥାନ୍ତି ପୂଜା ।୭।


ଦେବୀ ଷଷ୍ଠ ଦିନେ କାର୍ତ୍ତାୟିନୀ ନାମେ

ଉଭା ମାତା ଭଗବତୀ ,

ଯେତେ ଆରାଧନା ଋଷିଙ୍କ ସାଧନା 

ସାହା ହୋ'ନ୍ତି ଶକ୍ତିଦାତ୍ରୀ ।୮।


କାଳରାତ୍ରି ବେଶେ ସପ୍ତମ ଦିବସେ

ସବାର ହୋଇ ଗଧରେ,

ମାତା ଚତୁଃର୍ଭୂଜା ଉଡ଼େ ଜୟ ଧ୍ଵଜା 

କାଳରୂପୀ ଅବତାରେ ।୯।


ଅଷ୍ଟମ ଦିନରେ ମହାଗୌରୀ ରୂପେ

ଅଭୟ ମୁଦ୍ରାରେ ରହି,

ଦକ୍ଷିଣ ହସ୍ତରେ ଆଶିଷ ମା ଭରେ 

ବୃଷରୁଢ଼ା ହୋଇ ସେହି ।୧୦।


ହସ୍ତେ ଧରି ଶଙ୍ଖ, ଚକ୍ର, ଗଦା ପଦ୍ମ

ନବମ ଦିବସେ ମାତ,

ସିଦ୍ଧିଦାତ୍ରୀ ବେଶେ ଦୁର୍ଗତଙ୍କୁ ନାଶେ

ଦୁର୍ଗା ନାମେ ମା ବିଖ୍ୟାତ।୧୧।


ମା,ନଅ ଦିନରେ ପୂଜେ ଏ , ରୂପରେ 

ତୋର ଏହି ଅବତାର ,

ମୁଁ ମୁଢ଼ ତନୟା ମା ଗୋ ଯୋଗମାୟା

ଚରଣେ କୋଟି ଜୁହାର ।୧୨।


Rate this content
Log in

Similar oriya poem from Abstract