ନ ରହୁ ପତିତ କେହି
ନ ରହୁ ପତିତ କେହି
ବସିଛ ଠାକୁରେ ରତ୍ନ ସିଂହାସନେ
କାହିଁକି ମଉନ ହୋଇ
ତୁମ ନାମ ଧରି ଡାକିଲେ ଆକୁଳେ
ଶବ୍ଦ କର୍ଣ୍ଣେ ଶୁଭେ ନାହିଁ
ବଡ ବଡ ତୁମ ଚକା ଆଖି ମୁଦି
ପଡିଲ କି ପ୍ରଭୁ ଶୋଇ ।
ଘୋଟିଯାଏ ଘୋର ତମ ଅନ୍ଧକାର
ଲାଗେ ଦଶଦିଶ ଶୂନ୍ଯ
ହଜିଯାଏ ବୁଦ୍ଧି ବିବେକ ବିଶ୍ବାସ
ଅଥୟ ଜୀବନ ପ୍ରାଣ
ଆଶାର କିରଣ କୃପା ବିନା ତୁମ
ଆନ ଗତି କିଛି ନାହିଁ ।
ହେ ସତ୍ଯ ସୁନ୍ଦର ଜଗତ କରତା
ଚତୁର୍ଭୁଜ ଚକ୍ରଧର
ସୃଜନ ପାଳନ ପରମ କାରଣ
ଜ୍ଯୋତିରୂପ ଅବତର
ସଂହାର କଳ୍ମଷ ମ୍ଳେଛ ପାପତାପ
ଭକତ ଉଦ୍ଧାର ପାଇଁ ।
ତୁମ୍ଭେ ଜଗନ୍ନାଥ ଅନାଥର ନାଥ
ଈଶ୍ବର ମଙ୍ଗଳମୟ
କରୁଣାର ସିନ୍ଧୁ ଆଶ୍ବାସ ହୃଦୟେ
ସୁସଙ୍କଳ୍ପ ବରାଭୟ
ଢାଳିଦିଅ ପ୍ରଭୁ ମଙ୍ଗଳ ଆଶିଷ
ନ ରହୁ ପତିତ କେହି ।