ମୂରଲୀ ରେ
ମୂରଲୀ ରେ
ମୂରଲୀ ରେ,
ଆଉ ତୋ ମୂରଲୀ ବଜାନା
ତୋ ଦରଦୀ ଦୁଃଖକୁ ଜଣାନା
ଦୁଇ ହାତେ ଆଉ
ସେ ବାଉଁଶ କାମ କରିବନି
ତୋର ସେ ଯମୁନା ରେ
ଆଉ ସ୍ରୋତ ବହିବନି
କଦମ୍ବରେ ଆଉ ଫୁଲ ଫୁଟିବନି ।
କଳା କାହ୍ନୁ ରେ,
ଆଜି ସମାଜରେ କେହି
ଆଉ ଭଲ ପାଇବେନି
ତୋର ସେ କଳା କୁ
କଳା ବଜାରୀ
କଳା ବ୍ୟବସାୟୀ
ସମସ୍ତେ ଆଜି ତାର
କଳା ଟଙ୍କା ପାଇଁ ହାଉ ଯାଉ ।
ବେଣୁପାଣି ରେ,
ବେଣୁ ସ୍ବରେ ନାଚିବନି
ଏ ଯୁଗର ରାଧା
ସମସ୍ତେ ଆଜି ନଟରାଜ ଛନ୍ଦେ
ପ୍ରେମର ଖେଳ ଖେଳୁଛନ୍ତି
ବିଭିନ୍ନ ରୂପରେ
ଆଉ ସେ ରାଧା ନାହିଁ
ତୋର ସ୍ବରରେ ବିଚଳିତ
ଧାଇଁ ଯିବ କଦମ୍ବ କାନନେ
ପାଣି ଆଳେ
ଧରି କାଖରେ କଳସୀ
ସଙ୍ଗେ ସାଥୀ ମେଳେ ।
ଗିରିଧର ରେ,
ଶୁଖିଲାଣି ଯମୁନାର ଝର
ଆଉ ନାହିଁ ପବିତ୍ରତା
ରାଧା ଏବେ ହୋଟେଲର
ଦଶ ନମ୍ବର ଫ୍ଳାଟରେ
ଶୀତତାପ ନିୟନ୍ତ୍ରିତ ଘରେ
ଅତ୍ୟାଧୁନିକତାର
ଲଙ୍ଗଳା ପୋଷାକରେ
ସୁରା ଆଉ କାମନା ସାଥିରେ ।
ବଂଶୀଧର ରେ,
ତୁ ସିନା ଯମୁନା କୂଳେ
ବଜାଉ ବଇଁଶୀ
ଏଠି ବାଜେ ଧନୀଙ୍କର ଅତ୍ୟାଚାରେ
ଟଙ୍କା ଆଉ ସୁନାର ଗାଦିରେ
ଝଣ ଝଣ ସୁନ୍ଦର ରାଗିଣୀ
ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ
ସମସ୍ତେ ସମାନ ।
ମୂରଲୀ ରେ,
ତୋ ମୂରଲୀ ସ୍ବରେ ତୁ
ଫେରାଇ ନେ ସବୁ କିଛି
କଦମ୍ବ ଗଛରେ
ଫୁଲ ତୁ ଫୁଟାନା
ଯମୁନାରେ ଉଜାଣୀ ବୁହାନା
ତୋ ରାଧାକୁ
ତୁ ମନା କରିଦେ
ତୋ ପାଇଁ ସବୁ ମନା
ଗୋପଦାଣ୍ଡ / କଦମ୍ବ / ଯମୁନା ।