ମୂର୍ଚ୍ଛନା
ମୂର୍ଚ୍ଛନା
ପାର୍ଥିବ ଶରୀରେ ଛନ୍ତି ଯେତେ ଜୀବ
ସ୍ୱରେ ବନ୍ଧା ତାଙ୍କ ଅଙ୍ଗ ,
ମାନବ ଦାନବ ନର କି ବାନର
ପକ୍ଷୀ ହେଉ କି ପତଙ୍ଗ ।
ଯେବେ କର୍ଣ୍ଣେ ପଡ଼େ ସ୍ବରର ମୂର୍ଚ୍ଛନା
କମ୍ପମାନ ହୁଏ ଦେହୀ ,
ଇଚ୍ଛା ଜାଗେ ମନେ ନାଚି ତାଳେ ଲୟେ
ଫଟାଇ ଦିଅନ୍ତା ମହୀ ।
ପୁରାଣେ ବର୍ଣ୍ଣିତ ଏହି ସ୍ବର ପାଇଁ
ଭୃକ୍ଷେପ ନକରି ବାଧା ,
ପ୍ରଭୁଙ୍କ ବଇଁଶୀ ସ୍ବନ ଶୁଣିବାକୁ
ଧାଉଁଥିଲେ ପାଶେ ରାଧା ।
ମୁନି ଋଷିଗଣ ସାତ ସ୍ବରେ ମନ୍ତ୍ର
କରୁଥିଲେ ଉଚ୍ଚାରଣ ,
ସ୍ବରେ ମୁଗ୍ଧ ହୋଇ ବରୁଣ ଦେବତା
କରୁଥିଲେ ବାରି ଦାନ ।
ସ୍ବରରେ ବିମୁଗ୍ଧ ହୋଇ ଦେବା ଦେବୀ
ସନ୍ତୁଷ୍ଟ ଚିତ୍ତରେ ବର ,
ମଣିଷ ଦାନବେ ଯାଚି ଦେଇଛନ୍ତି
ଅଛି ପୁରାଣେ ନଜିର ।
ପଶୁ ଦ୍ବିଜମାନେ ଶୁଣନ୍ତି ଧ୍ୟାନରେ
ମେଘମହ୍ଲାରର ସ୍ବର ,
ଖାଇବା ପିଇବା ନିଜ ଅସ୍ତିତ୍ବରେ
ନଥାଏ ତାଙ୍କ ନଜର ।
କଥାର ସ୍ବରେ ବି ଥାଏ ଯାଦୁକରୀ
ପରକୁ କରେ ଆପଣା ,
ପୁଣି ସେହି ସ୍ଵର ଏମିତି କର୍କଶ
ହୃଦୟେ ଦିଏ ଯାତନା ।
