ମୁଁ
ମୁଁ
ଅନେକ ଥର ନିଜକୁ ପଚାରିଛି
ମୁଁ କିଏ
ଗୋଟେ ରକ୍ତ ମାଂସ ସ୍ନାୟୁଧାରୀ ଯନ୍ତ୍ର
ନା ଆଉ କିଛି ।
କେତେ ହାତ ଲମ୍ବର ଗୋଟିଏ ଶରୀର
ଭୂମିରୁ ଭୂମାଯାଏଁ ଉଣ୍ଡାଳି ବୁଲେ
ସବୁକିଛି ଗିଳିବାକୁ ପାଟିର ଆଁ ଭିତରେ
ନିଶାସକ୍ତ ଘୁମନ୍ତା ଆଖି ମୋର ଚାହିଁ ବସିଛି ।
ପଞ୍ଚଇନ୍ଦ୍ରିୟକୁ ପାରୁନି ଦେଇ ତୁଣ୍ଡି
ବେପୁରିଆ ଭାବେ ଓଲେଇ ଗାଈ ଭଳି
ଦଉଡୁଛି କାହା ପଛେ କେଜାଣି
ପରଚର୍ଚ୍ଚା ନିନ୍ଦା ତର୍କ କେବେ ମୋର ସରୁନି ।
ପାପପୂଣ୍ୟର ଅଛିଣ୍ଡା ଗଣିତ କଷିକଷି
ଜୀବନ କଲମର କାଳି ସରିଯିବ ପଛେ
ପାଇବାର ଇଚ୍ଛା ସବୁ ସମାଧି ନେଇଯିବେ
ସଠିକ ଉତ୍ତରଟିଏ ବୋଧେ ମୋତେ ମିଳିବନି ।
ଘମାଘୋଟ ଯୁଦ୍ଧ ଚାଲେ ମୋ ଭିତରେ
ଦେବତା ଅସୁରଙ୍କ ସହ
କେତେବେଳେ କିଏ ଜିତେ କିଏ ହାରେ
ଆତ୍ମସମୀକ୍ଷା କରୁଥାଏ ମୁଁ ଯୁଦ୍ଧଶେଷରେ ।
ସବୁ ବୁଝି ନ ବୁଝିବାର ପ୍ରୟାସ
ସଦା ଉଙ୍କିମାରୁଥାଏ ପ୍ରବୃତ୍ତିର ଲାଲସୂର୍ଯ୍ଯ
ନୀରବ ନିଃଶବ୍ଦ ଚେତନାର ଅନ୍ଧାର ଦୁରେଇ
ମଣିଷଟିଏ ବୋଲି ଭୁଲିଯାଏ ନିଜକୁ ନିଜେ ମୁଁ ଥରେ ।
ଶଶାଙ୍କ ଶେଖର ରାୟ
ବଟରପଡା ରାଜକନିକା କେନ୍ଦ୍ରାପଡା