ମୁଁ ଯେ ହଜିଯାଇଥିବା ଋତୁଟିଏ
ମୁଁ ଯେ ହଜିଯାଇଥିବା ଋତୁଟିଏ


ମୁଁ ଯେ ହଜି ଯାଇଥିବା ଋତୁଟିଏ ,
ମୋତେ ଖୋଜୁଛ କାହିଁକି ଗୋପନରେ
ମୁଁ ତ ଶ୍ରଦ୍ଧାବିବର୍ଜିତା ଅଭାଗିନୀ ,
ଦେହ ଜଳିଯାଏ ତୁମ କଟାକ୍ଷରେ ।
ମୁଁ ଯେ ବାଟବଣା କ୍ଷୁଦ୍ର ନଈଟିଏ ,
ନୀଳ ସାଗରକୁ ଛୁଇଁ ପାରିବିନି
ସାମ୍ପ୍ରତିକ ସମୟର ଦେବଦାସୀ ,
ନୃତ୍ୟମଣ୍ଡପରେ ଆଉ ନାଚିବିନି ।
ମୁଁ ଯେ ଲିଭି ଯାଇଥିବା ଦୀପଟିଏ ,
ଅର୍ଦ୍ଧଦଗ୍ଧ ମୋର ସୁପ୍ତ ଅନ୍ତରାତ୍ମା
କାହା ପ୍ରୟାସରେ ଆଉ କି ଜଳିବି ,
ଅଭିଶପ୍ତ ହୋଇଛି ମୋ' ସ୍ଥୂଳ ଆତ୍ମା ।
ନୀଳପରୀଟିଏ ସାଜି ଉଡୁଥିଲି ,
ନିଜ ଡେଣା ମେଲି ଜହ୍ନରାଇଜରେ
ତୁମେ ବଜ୍ରାଘାତେ କଲ ପକ୍ଷାଘାତ ,
ବିକଳାଙ୍ଗ ହେଲି ତୁମ ଆଘାତରେ ।
ମୋତେ ଶ୍ରାବଣୀ ସଜେଇ ନଚେଇଲ ,
ମୋ'ର ଲୁହତକ କରି ଆପଣାର
ଲୁହ ଲହୁ ହୋଇ ହେଲା ନୀଳ ବର୍ଣ୍ଣ ,
ଉପଭୋଗ୍ୟା କଲ ତୁମ ବାସନାର ।
ଦେଇ ପାରିବ କି ମୋର ପରିଚୟ
ତୁମ ଗୁପ୍ତ ପରିଚୟେ ମୁଁ ଅତୃପ୍ତା
ତୁମ ପାପ ପ୍ରଣୟର ଅନ୍ତରାଳେ ,
ମୁଁ ଯେ ଅର୍ଦ୍ଧଦଗ୍ଧା , ପୂର୍ଣ୍ଣଅଭିଶପ୍ତା ।
ସାଜି ମୁକ୍ତଆକାଶର ମେଘଦୂତ
କଲ ବନ୍ଦିନୀ ତୁମରି ମହ୍ଲାରରେ
>କିଏ ଜାଣିଥିଲା ତାହା ମୃଗତୃଷ୍ଣା ,
ତୃଷ୍ଣା ମେଣ୍ଟିବନି ତା'ର ପରଶରେ ।
ଥିଲି ମାନସରୋବର ରାଜହଂସୀ ,
ସନ୍ତରଣେ ସାଜିଥିଲି ଆହ୍ଲାଦିନୀ
ପୁଷ୍କରିଣୀ ଥିଲା ମୋର ବାଲ୍ୟଘର ,
ତୁମ ବନ୍ଦୀଗୃହେ ହେଲି ଅଭାଗିନୀ ।
ବନ୍ଦୀଗୃହ ନୁହେଁ ,ତାହା ଗୁପ୍ତଘର
ରିକ୍ତ ତିକ୍ତ ପ୍ରଣୟର ଅନୁଭୂତି
ଚାଟୁକାରମାନଙ୍କର ରଙ୍ଗଭୂମି ,
ପ୍ରହେଳିକା ଗର୍ଭେ ଅଛି ଶଠ ପ୍ରୀତି ।
ପ୍ରେମ ନୁହେଁ ଅର୍ଥକରୀ ବ୍ୟବସାୟ ,
ପ୍ରେମ ପ୍ରୀତିପରାଗର ମଧୁମତି
ତୁମେ ଜହ୍ଲାଦ ,ତୁମରି ହୃଦୟରେ
ନାହିଁ ଶାଶ୍ୱତ ପ୍ରେମର ଅନୁଭୂତି ।
ମୋତେ ଅଭିସାରିକାର ରୂପ ଦେଇ ,
ପ୍ରୀତି-ମଣ୍ଡପକୁ କଲ ରୂପାୟନ
ମିଛ ପ୍ରତିଶ୍ରୁତି ରଙ୍ଗ ଅଳତାରେ ,
ପାପପ୍ରଣୟର କଲ ଚିତ୍ରାଙ୍କନ ।
ତୁମେ ରୁକ୍ଷ ପ୍ରେମୀ ଦକ୍ଷ ପ୍ରତାରକ ,
ମୁଁ ତ ପ୍ରୀତିଲଗ୍ନା ପ୍ରୀତି ପ୍ରଜାପତି
ଭାବିଛ କି ହେବ କେବେ ଶିଳାନ୍ୟାସ ,
ଆମ ପ୍ରଣୟର ମଧୁ ପରିଣତି ।
ମୋ' ବିଶ୍ୱାସ ମୋର ଭାଗ୍ୟ ବିଡମ୍ବନା ,
ତା'ରି ନିଶ୍ୱାସରେ ତୁମେ ଯିବ ଜଳି
ଲକ୍ଷେ ମଧୁମକ୍ଷୀଙ୍କର ଆଘାତରେ ,
ଆପେ ଦେଇଯିବ ତୁମ ଆତ୍ମବଳି ।