ମୁଁ ପୁରୁଷ
ମୁଁ ପୁରୁଷ
ମୁଁ ପୁରୁଷ
ସଂସାର ବୋଝ ସବୁ ମୋ ପିଠିରେ
ସହିଯାଏ ସବୁ ନୀରବରେ
ଆଦିମ ଯୁଗରୁ ଆଧୁନିକ
ଖୋଜା ପଡେ ସବୁ ସମୟରେ ।।
ମୁଁ ପୁତ୍ର ମୁଁ ପିତା
ମୁଁ ପତି ମୁଁ ଜାମାତା
କେବେ କେବେ ମୁଁ ପ୍ରେମିକ
ମୁଁ ଭାଈ ମୁଁ ଶଳା
ସବୁଠି ଖଞ୍ଜା କିଳା
ତଥାପି ଲୁହ ଛୁଏଁନି ଚିବୁକ ।।
ଛାତି ମୋ ବିଶାଳ ଗଗନ
ଜଳୁଛି ଜଳେ ଯେମିତି ତପନ
ଶୁଆଇ ଦେଇଛି ନିଜ ସପନ
ନିଦ ହୋଇଛି ଅପହରଣ ।
ଆଖିରେ ଆକାଂକ୍ଷାର ସାଗର
ଦିଶେ ଖାଲି ଅଗ୍ନି କ୍ରୋଧର
ଜାଣି ପାରନ୍ତି ନାହିଁ କିଏ ଅନ୍ତର
କିଳିଛି ନିଜେ ଭାବର ଦୁଆର ।।
ମୁଁ ରାମ
ମର୍ଯ୍ୟାଦାପୁରୁଷୋତ୍ତମ
ମୁଁ ଲକ୍ଷ୍ମଣ
କର୍ତ୍ତବ୍ୟର କରେ ତର୍ପଣ
ମୁଁ ଭରତ
ଆଜ୍ଞା ପାଳିବା ଜୀବନର ବ୍ରତ
ମୁଁ ଶତ୍ରୁଘ୍ନ
ଦୂର କରିପାରେ
ସବୁ ବିଘ୍ନ ।।
ମୁଁ ଶାନ୍ତନୁ ମୁଁ ଦ୍ଵୈପାୟନ
ମୁଁ ଯୁଧିଷ୍ଠିର ମୁଁ ଦୂର୍ଯ୍ୟୋଧନ
ମୁଁ ଧୃତରାଷ୍ଟ୍ର ମୁଁ ହିଁ ଶକୁନି
ମୁଁ ପିତାମହଙ୍କ ତତଲା ଧମନୀ
କେବେ ଗାଣ୍ଡିବଧାରୀ
କେବେ ବାଙ୍କେବିହାରୀ
କେବେ ପୁଣି ସଶକ୍ତ ପ୍ରହରୀ ।।
ମୁଁ ଭୋଗୀ ମୁଁ ଯୋଗୀ
ମୁଁ ବୈରାଗୀ
ମୁଁ ପାପୀ ମୁଁ ତପୀ
ମୁଁ କୋପୀ
ମୋ ପାଇଁ ସବୁ ଶବ୍ଦ
ସେଥିପାଇଁ ମୋ ମନ ଦଗ୍ଧ
ମୁଁ ରହିଛି ମାନସ ପଟରେ
ଦୁଃଶାସନ ରୂପରେ
ଉପାଧି ପାଇ
କୁହୁଳୁଛି ଭିତରେ ।।
ବଞ୍ଛୁଛି ଆପଣାର ପାଇଁ
କର୍ତ୍ତବ୍ୟ ପଥରେ ଯାଉଛି ଧାଇଁ
ମୋର ବୋଲି କିଛି ନାହିଁ
ତଥାପି ବଞ୍ଚିଛି
ଆପଣାର ହୋଇ
ମୁଣ୍ଡେଇଛି ସବୁ ଅପବାଦ
ରହିଛି ଅନେକ ଅବସୋସ
ମୁଁ ପୁରୁଷ
ମୁଁ ପୁରୁଷ ।।