ମୁଁ ନାରୀ
ମୁଁ ନାରୀ
ଜନନୀ ଜାୟା ବାନ୍ଧବୀ ଭଗିନୀ
ଅଟେ ମୋ ଅନେକ ରୂପ,
ସେନେହ ମମତା ଧୈର୍ଯ୍ୟ ଧରି ମୁଁ ଯେ
ସ୍ରଷ୍ଟା ରୂପେ ଅନୁରୂପ ।
କନ୍ୟା ରୂପେ ମୁଁ ଯେ ସ୍ନେହ ପ୍ରଦାୟିନୀ
ପିତା ମାତାଙ୍କର ପ୍ରିୟ,
ଭ୍ରାତା ଭଗ୍ନୀଙ୍କର ସଖା ପରି ମୁହିଁ
ଏହି ମୋର ପରିଚୟ ।
ଜାୟା ରୂପେ ମୁହିଁ ପ୍ରିୟର ପ୍ରେୟସୀ
ମନେ ଭରେ ମାଦକତା,
ପ୍ରିୟର ଅନ୍ତରେ ଘର କରିଥାଏ
ଦେଇ କେତେ ଯେ ମମତା ।
ଭଗିନୀ ରୂପେ ମୁଁ ଶୁଭାକାଂକ୍ଷୀଟିଏ
ହୃଦରେ ଭରି ମୋ ସ୍ନେହ,
ଖୁଦୁରୁକୁଣିରେ ଦୀପ ଜାଳିଦିଏ
ତୁଟାଇ ସବୁରୁ ମୋହ ।
ଜନନୀ ରୂପେ ମୁଁ ସର୍ବଂସହା ପୁଣି
ସନ୍ତାନର ସୁଖ ପାଇଁ,
ନିଜ ଦେହ କଷ୍ଟ ଭୁଲି ମୁଁ ଯାଇଣ
ତା'ର ଶୁଭ ମନାସଇ ।
ବାନ୍ଧବୀ ରୂପେ ମୁଁ ପ୍ରିୟ ସଖୀ ହୋଇ
ଜୀବନ ବି ପାରେ ଦେଇ,
ବନ୍ଧୁ ସୁଖ ପାଇଁ ପଡ଼ିଲେ ନିଜକୁ
ଶୁଳିରେ ଯିବି ମୁଁ ଶୋଇ ।
ଚାହେଁ ନାହିଁ ଧନ ମାନ ଅବା ଯଶ
ଚାହେଁ ଖାଲି ସନମାନ,
ଅବା ଚାହେଁ ନାହିଁ ହେବା ପାଇଁ ମୁହିଁ
ଦେଶବିଦେଶେ ମହାନ ।
ଚାହେଁ ଖାଲି ମୁହିଁ ସୁନ୍ଦର ଘରଟେ
ମୋ ହାତରେ ଗଢି ଉଠୁ,
ସେ ଘରଟି ହେଉ ସମାଜେ ମହାନ
ଅବା ବଡ଼ ସରଗଠୁ ।
