ମୁଁ ମାତ୍ର ତୁମ ସ୍ପନ୍ଦନ
ମୁଁ ମାତ୍ର ତୁମ ସ୍ପନ୍ଦନ
ଅନ୍ତର୍ଦହନର ସାମଗ୍ରୀ ହେଲି ମୁଁ ,
ହୃଦୟ ଯାଇଛି ହଜି
ହେ ,ବନ୍ଧୁ ରବୀନ୍ଦ୍ର ପାଇଲି ଶେଷରେ
ତୁମକୁ ମୁଁ ଖୋଜି ଖୋଜି ।
ପାଇ ସାରିଛି ମୁଁ , ପଣତରେ ବାନ୍ଧି
ରଖିବି ଜୀବନ ସାରା
ନାରୀଙ୍କ ପଣତ ମମତାରେ ଭରା ,
ମୋ' ପଣତ ପ୍ରୀତିଝରା ।
ପ୍ରୀତିକୁ ପବିତ୍ର କହି ମୁଁ ପାରୁନି ,
ତା' ଚରିତ୍ର ଅର୍ଥହୀନ
ଆମ ବନ୍ଧୁତାର ରୀତି ତ ସ୍ୱତନ୍ତ୍ର
ତା' ବନ୍ଧନ ଗରୀୟାନ ।
ଦେଖିଛି ଅନେକ ବିଜ୍ଞ ବ୍ୟକ୍ତିତ୍ୱଙ୍କୁ ,
ତାଙ୍କ ସ୍ଥୂଳ ଅହମିକା
ଜ୍ଞାନୀ ଦର୍ପଣରେ ଅଜ୍ଞାନ ଚିତ୍ରର
ଆକସ୍ମିକ ଯବନିକା ।
ଯବନିକା କେବେ ପଡ଼ିବନି ବନ୍ଧୁ
ଆମ ବନ୍ଧୁତା ବଳୟେ
ବରଂ ଲିପିବଦ୍ଧ ହୋଇ ରହିଯିବ
ନିଷ୍କାମ ସୂକ୍ଷ୍ମ ନିଳୟେ ।
ଭ୍ରୂକ୍ଷେପ କାହିଁକି କରିବି ଅଯଥା
ଅଜ୍ଞାନ ବନ୍ଧୁଙ୍କ ରୋଷ
ତାଙ୍କରି ଦୟାର ପାତ୍ର ହେବା ପାଇଁ
ନାହିଁ ମୋର ଅଭିଳାଷ ।
ରୁଦ୍ଧ କାରାଗାରେ ରହିପାରିବିନି
ହୋଇ ଅବାସ୍ତବ ବନ୍ଦୀ
ବରଂ ହୋଇଯିବି ତୁମ ହୃଦୟରେ
ଆଜୀବନ ଗୃହବନ୍ଦୀ ।
ଗୃହବନ୍ଦୀ ହେଲେ ବରଂ ବଞ୍ଚିବି ମୁଁ
ମୋ' ଆତ୍ମାଭିମାନ ନେଇ
ଜ୍ଞାନୀଙ୍କ ଆଶ୍ରୟେ ସୁଯୋଗ ପାଇବି
ଜ୍ଞାନ ବିତରଣ ପାଇଁ ।
ବନ୍ଧୁ ସିନା ବୁଝେ ବନ୍ଧୁଙ୍କ ହୃଦୟ
କପଟୀ ବୁଝିବ କାହୁଁ
କପଟୀ ତ ଏକ ଚତୁର ଶୃଗାଳ ,
ହୃଦୟ ପାଇବ କାହୁଁ ।
ଚତୁର ଶୃଗାଳ ,ପରଶ୍ରୀକାତର
ନୁହେଁ ବନ୍ଧୁ ପଦବାଚ୍ୟ
ଅସତ୍ୟ ବଜାରେ ବନ୍ଧୁ ତ ହଜାରେ ,
ବନ୍ଧୁତାର ଭାବ ନୀଚ୍ଚ ।
ଆସ ,ବନ୍ଧୁ ଆମେ ଆଙ୍କି ଚାଲିଥିବା
ଆଶ୍ୱସ୍ତିର ଅର୍କକ୍ଷେତ୍ର
ଲୋଡ଼ିବା କାହିଁକି ଛଳନାଭିତ୍ତିକ
ଅକର୍ମାଙ୍କ କୁରୁକ୍ଷେତ୍ର ।
ହେ ,ବନ୍ଧୁ ରବୀନ୍ଦ୍ର ଜ୍ଞାନରେ ଜ୍ଞାନେନ୍ଦ୍ର ,
ମୁଁ ମାତ୍ର ତୁମ ସ୍ପନ୍ଦନ
ମୋ' ଆଭ୍ୟନ୍ତରୀଣ ଭାବଜଗତର
ତୁମେ ମୋ' ଭଵତାରଣ ।
ନକାରାତ୍ମକୀଙ୍କୁ ନିନ୍ଦିବାନି କେବେ
ସକାରାତ୍ମକ ଚିନ୍ତାରେ
ସୃଜିଚାଲିଥିବା ସ୍ବର୍ଗୀୟ ସୃଜନୀ ,
ବଞ୍ଚିବା ସ୍ୱାଭିମାନରେ ।
ସ୍ୱାଭିମାନୀ ସ୍ୱର ଅତ୍ୟନ୍ତ ଭାସ୍ବର ,
ଅଭିମାନର ପୃଷ୍ଠାରେ
ଲେଖି ଦେଇଗଲି ମୋ' ହସ୍ତାକ୍ଷରରେ
ସ୍ୱାଭାବିକ ଇସ୍ତାହାରେ ।
ଅନ୍ତର୍ଦହନରେ ଜଳିବିନି ଆଉ
ହୃଦୟ ଅଜାଡ଼ିଦେଲି
ଅଶାନ୍ତ ଗ୍ରହ ମୋ' ଅପସରିଗଲେ
ସର୍ବାଗ୍ରେ ଶାନ୍ତି ପାଇଲି ।