ମୁଁ କିଏ..?
ମୁଁ କିଏ..?
ମୁଁ କଞ୍ଚା ମାଟି ମୁଁ ବି ଶୁଖିଲା ପତର
ହେ ସମାଜର, ହେ ପୃଥିବୀର ଜ୍ଞାନୀ ପ୍ରତିନିଧି ମାନେ
ତୁମେ ଗଢିବାର ଥିଲେ ଗଢିପାରିବ
ତୁମ ଇଛାର ରୂପଦେଇ ସୁନ୍ଦର ମୂର୍ତ୍ତିଟିଏ
ତୁମେ ଜାଳିବାର ଥିଲେ ଜାଳିପାରିବ ମୋତେ
ନିମିଷକେ ଜଳିଯିବି ବିନା ପ୍ରଶ୍ନ ବିନା ଅଭିଯୋଗରେ,
ପୁଣି କେବେ ମୁଁ ଅଧାଗଢ଼ା ମୁଣ୍ମୟ ମୂର୍ତ୍ତିଟିଏ
ହେ ସଂସାରର ବିଶ୍ୱକର୍ମା ମାନେ
ମୋତେ କରିପାରିବ ପୂର୍ଣ୍ଣ କରିପାରିବ ସମ୍ପୂର୍ଣ୍ଣ
ଅବା ମୋତେ କରିପାରିବ ଚୂର୍ଣ୍ଣ
ବିନା ଦ୍ୱନ୍ଦ ବିନା ବିଷାଦରେ ବିନା ବିବାଦରେ
ନିଜକୁ କରିଦେବି ମୁଁ ତୁମ୍ଭ ସମ୍ମୁଖରେ ସମପର୍ଣ
ନା ଭୟରେ ନା ଦୁର୍ବଳତାରେ ନା ବାଧ୍ୟରେ ନା ଅନିଚ୍ଛାରେ,
ମୁଁ ରଫ୍ ଖାତାର ତଥାକଥିତ ଅଦରକାରୀ କାଗଜ
ହେ ସମାଜ ପରିବାରର ବିଦ୍ୟାଳୟର କୁନୀକୁନୀ ବିଦ୍ୟାର୍ଥୀ
ମୋତେ କାଗଜ ଡଙ୍ଗାଟିଏ କରି ଭସାଇ ଦେଇପାର
ସମୟ ସ୍ରୋତରେ ଅତି ଆନନ୍ଦରେ ବହିଯିବି ମୁହିଁ
ଅବା ମୋତେ ଉଡ଼ାଇ ଦେଇପାର ରକେଟ ଟିଏ କରି
କେଉଁ ଏକ ନୂତନ ଲକ୍ଷ୍ୟରେ ହେବି ଅଗ୍ରସର ସୁଖରେ
ବିନା ଲୁହରେ ବିନା ଅବଶୋଷ ଓ ବିନା ନିରାଶରେ,
ପୁଣି କେବେ ମୁଁ ଜଳ ଦେଇପାରୁନଥିବା ଶୁଷ୍କ ସହର କୂପ
ହେ ସହରର ଆଧୁନିକ ନବଯୁଗର ଉଚ୍ଚ ଶିକ୍ଷିତ ମଣିଷ
ମୋତେ ପୋତି ଦିଅ ଅବା ମୋତେ ଆବଦ୍ଧ କରିଦିଅ
ତିଳେ ମାତ୍ର ହେବନି ଦୁଃଖ ମୋହର କ୍ଳେଶ ମୋର
ଯେମିତି ଚାହିଁବ ମୋତେ କରିପାର ଉପଯୋଗ
ମୁଁ ତ ସମାଜରୁ ସୃଷ୍ଟି ସମାଜରେ ମିଶିଯିବି
ଈଶ୍ୱରଙ୍କ ଧରିତ୍ରୀ ପାଇଁ ହେଉ ମୋର ଉପଯୋଗ
ଆଲିଙ୍ଗନ କରିଦେବି ମୃତ୍ୟୁକୁ ବି ମୁଁ ବିନା ଅଭିମାନରେ।