ମୁଁ କାହିଁକି ଦେବୀ ହେବି ?
ମୁଁ କାହିଁକି ଦେବୀ ହେବି ?
ତମେ ଗଢିବ, ବଢେଇବ ମହିଷାସୁରକୁତିନି ଜଗତର ଧ୍ୱଂସ ପାଇଁ
ଆଶିର୍ବାଦ ଦେବ
ଅସ୍ତ୍ରଶସ୍ତ୍ର ଦେବ
ତମ ଆୟତ୍ତର ପରିଧିରୁ ବାହାରିଗଲା ବେଳକୁ
ତମେ ତିଆରି କରିବ ମତେ
ଏବେ ଦଶ ପ୍ରହରଣ ମୋ ହାତରେ
ସେଥିରେ ବି ହସିବ ମହିଷା
ତାର ଯେ ଅମର ବର ଅଛି
ସେତେବେଳେ ତମ ଇଙ୍ଗିତରେ
ମୁଁ ହେବି ଦେବୀ
ବସନ ଭୂଷଣ ଫିଙ୍ଗି
ରକ୍ତ ନେତ୍ରେ ସଂହାର କରିବି ll
ତମ ଇଚ୍ଛା ଆଉ କାମନାର ପୂର୍ତ୍ତି ପାଇଁ
ମୁଁ କାହିଁକି ଦେବୀ ହେବି?
ଅଳକାରେ, କୈଳାସରେ ଅବା ବୈକୁଣ୍ଠରେ
ନିଜର ଛତ୍ର, ଚାମର ଉଡ଼େଇ,
ଯେତେବେଳେ ଚାହିଁବ
ଠେଲି ଦେଇ ପାରୁଥିବ ମତେ
ଅଜଣା, ଅଶୁଣା, ଅଚଲା ରାସ୍ତାକୁ
ଗୋଡି ପରି, ପଥର ପରି,
ପୁଣି ଚାହିଁବ ତ ତୋଳି ଆଣିବ ରାସ୍ତାରୁ
ଗଛମୂଳେ ବସେଇ ଦେବ ମୁହଁରେ ସିନ୍ଦୂର ମାଖି
ଠାକୁରାଣୀ କରି
ପ୍ରଚାରିବ
ପଣା ପାଣି ମାଜଣାରେ
ସିଏ ଦିଏ ସବୁ ଶୂନ୍ୟ ଭରି ll
ତମେ କହିଦେଇଛ
କୋମଳତା, ଶାଳୀନତା ମୋର
ହେଲେ ତମର ?
ତମେ ମତେ ମୁକ୍ତି ମାଗିବ, ଶକ୍ତି ମାଗିବ
ଅନ୍ୟାୟରୁ, ଯନ୍ତ୍ରଣାରୁ
ମୁଁ ମାଗିଲାବେଳକୁ କହିବ ମୁଁ ସର୍ବସଂହା ବୋଲି
ପୃଥିବୀ କଣ ମାଗେ କି ଏ ସବୁ
କଷ୍ଟରେ ଦୁଃଖରେ ସ୍ଫୁରେ କି ଶବ୍ଦ କିଛି
ତମେ ଚାହଁ
ସେମିତି ମୁଁ ପାଟି ଚିପି
ପିଇ ଯାଏ ଗରଳ
ଅବଶ କରେ ନିଜ ସ୍ନାୟୁମାନଙ୍କୁ
ଆଉ ପାଲଟିଯାଏ ଦେବୀ ll
ଆଜିଠାରୁ, ଏବେଠାରୁ
ମହିଷା ସହ ସଂଘର୍ଷ ତମର
ଜିତିବା ହାରିବା ବି ତମର
ସୃଷ୍ଟି ତମର, ଧ୍ୱଂସ ତୁମର
ମୁଁ ତ ମୋର ଯେମିତି ଶାକମ୍ବରୀ ଥିଲି
ସେମିତି ରହିଥିବି
ତମ ପରୀକ୍ଷା-ନିରୀକ୍ଷାର ଭିଡରେ
ମୁଁ କାହିଁକି ଦେବୀ ହେବି ??
