ମୁଁ ଜଣେ ପାତକୀ
ମୁଁ ଜଣେ ପାତକୀ
ମୁଁ ଜଣେ ପାତକୀ ଅଧମ ପାମର
ନାହିଁ ମୋ ପାତକ ସୀମା
ନିଜ କ୍ଷମାଗୁଣେ ଆହେ ମହାବାହୁ
କରିଦିଅ ମୋତେ କ୍ଷମା।
ମୁଁ ଶରଣ ଗଲେ ମୋହର ଛୁଆଁରେ
ପାଦ ହେବ ଅପବିତ୍ର
ସେଥିପାଇଁ କିବା ଆହେ ମହାବାହୁ
ପାଦ କରିଛ ଗୁପତ।
ନାମମାତ୍ର ଭଜି ଅଜାମିଳ ପାପୀ
ଯମଦଣ୍ଡୁ ତରିଗଲା।
ମୋ ପାପ କି ସତେ ଏବେ ଗୁରୁତର
କ୍ଷମା ବାରିଧି ଶୁଖିଲା।
କେ କି କଲା ଅବା କେ କି ଦେଲା ଯାହା
ଦେଇ ମୁଁ ପାରିଲି ନାହିଁ
ତୁମେ କ୍ଷମାନିଧି କୃପାର ବାରିଧି
କଣେଇ ଚାହିଁଲ ନାହିଁ।
ଏକା ତୁମେ ସାହା ଆହେ ଚଉବାହା
ତୁମ ବିନା ଏ ଜଗତେ
କେହି ନାହିଁ ମୋର ଏଡିକି ନିଜର
ଯାହାକୁ ଡାକିବି ଆର୍ତ୍ତେ।
