ମୁଁ ବି ସତ୍ୟ ତୋ ପରି
ମୁଁ ବି ସତ୍ୟ ତୋ ପରି
କେବେ ବି ମାପିନି କି ମାପିପାରିବିନି ବୋଧେ
ତୋର ଆଉ ମୋ ଭିତର ଦୂରତାକୁ ।
ତୁ ବି ସତ୍ୟ ଆଉ ମୁଁ ବି ....
ହେଲେ ମୋର ଆଗମନେ ଖୁସିର
ଲହରୀ ଖେଳିଯାଏ ।
ଖେଳିଯାଏ ମନରେ ଆଶା ,
ମିଳିଯାଏ
କିଛି ସ୍ବପ୍ନ ପୂରଣର ମାଧ୍ଯମ ।
ଆଉ ତୋର ଆଗମନେ
ଖେଳିଯାଏ ଶୋକର ଛାୟା ।
କିଏ ଦମ୍ଭ ଧରେ କିଏ ପୁଣି ହରାଏ ,
ତଥାପି ବି ....
ସମୟର ର ସ୍ରୋତରେ
ସବୁକିଛି କୁ ଆଗେଇ ଯିବାକୁ ହୁଏ ।
ଜାଣେନି ତୁ ଆଉ ମୁଁ କିପରି ?
ମୋ ଠୁ ତୁ ସୁନ୍ଦର ?
ଅବା ମୁଁ ତୋ ଠୁ ... ?
ତୁ ଶିଖିଛୁ ହରଣ କରିବାର କୌଶଳ
ଆଉ ମୁଁ ....
ଶିଖିଛି ନୂତନତା ର ବୀଜରେ
ଫାଙ୍କା ସ୍ଥାନ ପୂରଣର ଜ୍ଞାନ ।
ତୋର ପାଦ ଶବ୍ଦ
ଯେତେ ବି ଦୂରରୁ ଆସିଲେ ବି
ଶୁଣିବାକୁ ଚାହେଁନା
କେହି ...
ଅପରନ୍ତୁ ମୋର ଆଗମନର ନିକଟତର ଭାବନା ବି
ସ୍ବର୍ଗର ସୁଖ ଅଙ୍ଗରେ ଭରିଦିଏ ।
ଯଦିବା ଜିତି ଯାଉ ତୁ
ଆଉ ହାରିଯାଏ ମୁଁ
ସମୟର ଚକ୍ରରେ,
ଲୀନ ହୋଇଯାଏ ମୁଁ କାଳର ଗର୍ଭ ରେ
ତଥାପି ବି ମୁଁ ଗର୍ବିତ
କାରଣ ବୋଧ ହୁଏ ତୁ ଜାଣିନୁ
କି ଜାଣିବାର ସମୟ ପାଇନୁ ।
ହେଲେ ମୁଁ ଜାଣିଛି ।
ମୋର ଏ ହସ ଅଟ୍ଟହାସ୍ୟ ନୁହେଁ ,,
ବରଂ ସବୁକିଛି ବୁଝିପାରିବାର ହସ ।
ଜାଣି ମୁଁ ସାରିଛି
ଯେତେ ବି ବଳୀୟାନ ହେଲେ ତୁ
ମୁଁ ହିଁ ଆରମ୍ଭ ,
ମୋ ବିନା ତୋର ଆଗମନ ଅସମ୍ଭବ ।
ମୁଁ ବୁଝି ଯାଇଛି........
ମୁଁ ବି ସତ୍ୟ ତୋ ପରି ।