ମୁକ୍ତିର ଆନନ୍ଦ
ମୁକ୍ତିର ଆନନ୍ଦ
କାରା ବାସୁ ମୁକ୍ତି ଲଭି ଯୁଦ୍ଧ ବନ୍ଦୀ ଜଣେ
ଫେରିଯାଉଥିଲେ ଘରେ ହରଷିତ ମନେ ll
ମନରେ ସୁଖସ୍ବପନ ଆସି କେତେ କେତେ
ଅବିରତେ ଆନନ୍ଦର ଅଶ୍ରୁ ବହେ ନେତ୍ରେ ll
ଘରେ ପତ୍ନୀ ରହିଛନ୍ତି କେତେ ଦିନୁ ଚାହିଁ
ପୁଅ, ଝିଅ,ସାଥି,ବନ୍ଧୁ, ସହୋଦର ଭାଇ l
ମାଆ ମୋ ଚାଲିଯାଇଛି କାହିଁ ଦୂରଦେଶ
ଦେଖିବି ନାହିଁ ତାହାର ସ୍ନେହ ମୟୀ ହସ l
ପିତା ମୋ ସୈନିକ ମଲେ ସମ୍ମୁଖସମରେ
ରହିଥିଲି ଯେବେ ମୁହିଁ ଜନନୀ ଜଠରେ l
ବାଟେ ଯାଉ ଯାଉ ଏହି ଭଳି ଚିନ୍ତା କରି
ଦେଖିଲେ ଏକ ସ୍ଥାନରେ ବହୁତ ପଞ୍ଜୁରୀ l
ବ୍ୟାଧଟିଏ ନାନା ଜାତି ପକ୍ଷୀମାନ ଧରି
ଗ୍ରାହକେ ନିଅନ୍ତି ବ୍ୟାଧ କରୁଛି ବିକିରି l
ଯୁଦ୍ଧବନ୍ଦୀ ତହୁଁ ଯାଇ ବ୍ୟାଧଠାରେ ମିଳି
ପଚାରିଲେ କିକରୁଛ ହୋଇ କୌତୁହଳି l
ବ୍ୟାଧଟି କହିଲା ଏହା ମୋହର ଜୀବିକା
ପକ୍ଷୀ ବିକି ଚଳେ ଗୋଟିଏକୁ ଏକଟଙ୍କା l
ବନ୍ଦୀ ତହୁଁ କାଢ଼ି ସେନା ସୁବର୍ଣ୍ଣ ପଦକ
ବୋଇଲେ ଭାଇ ଏ ପଦକକୁ ନିଅ ରଖ l
ତୁମର ସମସ୍ତ ପକ୍ଷୀ ଦିଅ ମୋତେ ବିକି
ଦୁର୍ମୁଲ୍ୟ ପଦକଟିକୁ ବ୍ୟାଧ ଖୁସି ଦେଖି l
ଉନ୍ମୁକ୍ତ କରିଲେ ହାତେ ସମସ୍ତ ପଞ୍ଜୁରୀ
ପକ୍ଷୀ ଚାଲିଗଲେ ଉଡି଼ କଳ ରବ କରି l
ଦେଖଭାଇ ମୁକ୍ତିର କି ଆନନ୍ଦ ଉଦ୍ବେଳ
ସୁଖେ ଉଡି଼ ବୁଲୁ ଛନ୍ତି ବିହଙ୍ଗମ ଦଳ l
ବିଂଶବର୍ଷ କାରାବାସୀ ଶୁଣଭାଇ ବ୍ୟାଧ
ମୁହିଁ ଅନୁଭବୀ କେତେ ମୁକ୍ତିର ଆନନ୍ଦ l
ମହାନ ଦେଶ ସେବକ ଜାଣି ବ୍ୟାଧପୁଅ
ବୋଇଲା ନମସ୍ତେ ବନ୍ଧୁ ପଦକକୁ ନିଅ l
