STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ମୁକ୍ତି

ମୁକ୍ତି

1 min
242


ଅମୃତସନ୍ତାନ ! ଡେଣା ଅଛି ତୁମ

ଉଡ଼ିବାକୁ ନଭ ବୁକୁ ଚିରି। 

ନ ଉଡ଼ି କିମ୍ପାଇଁ ପଞ୍ଜୁରୀ ଭିତରେ 

ରଖିଛ ନିଜକୁ ବନ୍ଦୀ କରି ?


ଅଜ୍ଞାନତା ଭୟ ଆଉ ଧର୍ମାନ୍ଧତା

ବନ୍ଧନରେ କିମ୍ପା ଅଛ କୁହ। 

ମୁକତିପଥର ଯାତ୍ରୀ ଆହେ ତୁମେ

ବନ୍ଧନକୁ କାଟି ଉଡ଼ିଯାଅ। 


ସୁନାର ପଞ୍ଜୁରୀ ଜକଜକ ସିନା

ହେଲେ ସେଠି ସ୍ଵାଧୀନତା କାହିଁ ?

ଉଡ଼ିବା ପାଇଁକି ଜନମ ତୁମର

କାହିଁକି ରହିଛ ବନ୍ଦୀ ହୋଇ ?


ଲକ୍ଷ୍ୟ ତୁମ ହେଉ ଅନନ୍ତ ଆକାଶ

ସ୍ଵପ୍ନ ତୁମ ହେଉ ସ୍ଵାଧୀନତା । 

ମୁକ୍ତି ହେଉ ତୁମ ଜୀବନ ଉଦ୍ଦେଶ୍ୟ

ଶକ୍ତି ହେଉ ଜ୍ଞାନ ନିର୍ଭୀକତା। 


ବକ୍ଷ ପ୍ରସାରିଣ ଅନନ୍ତ ଆକାଶ 

ଡାକୁଅଛି ଦେଖ ହାତ ଠାରି।  

ରୁଦ୍ଧ ପଞ୍ଜୁରୀର ଦ୍ଵାର ଖୋଲିଦିଅ

ମୁକ୍ତିର ମଶାଲ ହାତେ ଧରି। 


ଜାଗ୍ରତ ହୁଅ ହେ ଅମୃତ ସନ୍ତାନ !

ସମୟ ଯାଉଛି ଗଡ଼ି ଗଡ଼ି। 

ମୁକ୍ତିର ସୂରୁଜ ଡାକରା ଦେଲାଣି

ବନ୍ଧନକୁ କାଟି ଯାଅ ଉଡ଼ି। 


ବନ୍ଧନକୁ କାଟି ଉଡ଼ି ଯିବାପାଇଁ

ତୁମଠାରେ ଅଛି ଦିବ୍ୟଶକ୍ତି। 

ସେହି ଶକ୍ତିବଳେ ପଞ୍ଜୁରୀକୁ ଖୋଲି

ବନ୍ଧନରୁ ତୁମେ ପାଅ ମୁକ୍ତି। 


Rate this content
Log in

Similar oriya poem from Inspirational