ମୁକ୍ତି
ମୁକ୍ତି
ଅମୃତସନ୍ତାନ ! ଡେଣା ଅଛି ତୁମ
ଉଡ଼ିବାକୁ ନଭ ବୁକୁ ଚିରି।
ନ ଉଡ଼ି କିମ୍ପାଇଁ ପଞ୍ଜୁରୀ ଭିତରେ
ରଖିଛ ନିଜକୁ ବନ୍ଦୀ କରି ?
ଅଜ୍ଞାନତା ଭୟ ଆଉ ଧର୍ମାନ୍ଧତା
ବନ୍ଧନରେ କିମ୍ପା ଅଛ କୁହ।
ମୁକତିପଥର ଯାତ୍ରୀ ଆହେ ତୁମେ
ବନ୍ଧନକୁ କାଟି ଉଡ଼ିଯାଅ।
ସୁନାର ପଞ୍ଜୁରୀ ଜକଜକ ସିନା
ହେଲେ ସେଠି ସ୍ଵାଧୀନତା କାହିଁ ?
ଉଡ଼ିବା ପାଇଁକି ଜନମ ତୁମର
କାହିଁକି ରହିଛ ବନ୍ଦୀ ହୋଇ ?
ଲକ୍ଷ୍ୟ ତୁମ ହେଉ ଅନନ୍ତ ଆକାଶ
ସ୍ଵପ୍ନ ତୁମ ହେଉ ସ୍ଵାଧୀନତା ।
ମୁକ୍ତି ହେଉ ତୁମ ଜୀବନ ଉଦ୍ଦେଶ୍ୟ
ଶକ୍ତି ହେଉ ଜ୍ଞାନ ନିର୍ଭୀକତା।
ବକ୍ଷ ପ୍ରସାରିଣ ଅନନ୍ତ ଆକାଶ
ଡାକୁଅଛି ଦେଖ ହାତ ଠାରି।
ରୁଦ୍ଧ ପଞ୍ଜୁରୀର ଦ୍ଵାର ଖୋଲିଦିଅ
ମୁକ୍ତିର ମଶାଲ ହାତେ ଧରି।
ଜାଗ୍ରତ ହୁଅ ହେ ଅମୃତ ସନ୍ତାନ !
ସମୟ ଯାଉଛି ଗଡ଼ି ଗଡ଼ି।
ମୁକ୍ତିର ସୂରୁଜ ଡାକରା ଦେଲାଣି
ବନ୍ଧନକୁ କାଟି ଯାଅ ଉଡ଼ି।
ବନ୍ଧନକୁ କାଟି ଉଡ଼ି ଯିବାପାଇଁ
ତୁମଠାରେ ଅଛି ଦିବ୍ୟଶକ୍ତି।
ସେହି ଶକ୍ତିବଳେ ପଞ୍ଜୁରୀକୁ ଖୋଲି
ବନ୍ଧନରୁ ତୁମେ ପାଅ ମୁକ୍ତି।