ମୁକ୍ତି ସଂଗ୍ରାମ ଓ କୃତ୍ତିବାସ
ମୁକ୍ତି ସଂଗ୍ରାମ ଓ କୃତ୍ତିବାସ
ସଂଗ୍ରାମୀ କୃତ୍ତିବାସ ପାଟ୍ଟଶାଣୀ ଜନମିଲେ
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଦେଓଗାଁରେ
ପିତା ଶ୍ୟାମସୁନ୍ଦର ପାଟ୍ଟଶାଣୀ ଥିଲେ ଦଳ
ବେହେରା ବଂଶ ପରମ୍ପରା ଅନୁସାରେ |୧|
ତାଙ୍କ ଅନ୍ତେ କୃତ୍ତିବାସ ହେଲେ ଅରାଙ୍ଗ
ଗଡ଼ର ଦଳବେହେରା
ଫିରିଙ୍ଗମାନେ ସମସ୍ତ ସ୍ୱାଧୀନତା ଲୋପ
କରିବାରେ ବିଦ୍ରୋହ ଦେଲେ ଡାକରା |୨|
ବାଣପୁର ଅଞ୍ଚଳରେ ଫିରିଙ୍ଗି ବିରୋଧରେ
୧୮୩୬ ମସିହାରେ ବିଦ୍ରୋହ ହେଲା
୧୮୩୬ ଜୁନ୍ ୪ ୫ ଓ ୬ ତାରିଖ ୩ ଦିନ
ବାଣପୁର ଅଞ୍ଚଳ ସ୍ୱାଧୀନ ହୋଇଥିଲା |୩|
ସମ୍ପୂର୍ଣ୍ଣ ବାଣପୁର ବିଦ୍ରୋହୀ ମାନଙ୍କର
ହାତ ମୁଠାକୁ ଆସିଗଲା
ରାଜା ହେବ କିଏ? ଏ କଥା ପାଇଁ ମନରେ
ଭାଳେଣି ପଡ଼ିଲା |୪|
ଗଡ଼ରୋଡ଼ଙ୍ଗ ଅଞ୍ଚଳର ପଞ୍ଚୁଆ ବକ୍ସିଙ୍କ
ଚେହେରା ସହ ପ୍ରାୟ ମିଶୁଥିଲା
କୃତ୍ତିବାସ ପଞ୍ଚୁଆକୁ ବକ୍ସି ବେଶରେ ରାଜା
ହିସାବରେ ସଜେଇ ଦେଲା |୫|
ପଟୁଆର କରି ଗାଁ ଗାଁ ବୁଲେଇଲା ମଣିମା
ମଣିମା ଡାକ ପକାଇ
ମଗରମୁହଁ ପାଲିଙ୍କିରେ ଛତ୍ରିତ୍ରାସ ଆଡେଣୀ
ବୈରେଖ ଟେକି ବୀରତ୍ୱ କାହାଳି ବଜାଇ |୬|
ପଞ୍ଚୁଆ ହେଲା ରାଜା ଲୋଚନ ବିଶୋଇ ମନ୍ତ୍ରୀ
କୃତ୍ତିବାସ ହେଲେ ସେନାପତି
ବାଣପୁରର ଏହି ବିଦ୍ରୋହ ବା ମେଳି ‘ପଞ୍ଚୁଆ
ଫତୁରୀ’ ବୋଲି ଜଣା ଓ ଖ୍ୟାତି |୭|
ବିଶ୍ୱାସଘାତକଙ୍କ ପାଇଁ ଧରା ପଡ଼ିଲେ ପଞ୍ଚୁଆ
ଓ ଲୋଚନ ବିଶୋଇ
ଫାଶୀ ପାଇଲେ ୩ ଦିନ ମଧ୍ୟରେ ବାଣପୁର
ପୁନଶ୍ଚ ସ୍ୱାଧୀନତା ହରାଇ |୮|
୧୮୧୭ ପାଇକ ବିଦ୍ରୋହ ପୂର୍ବରୁ ସେ କରି
ଥିଲେ ସନ୍ତ୍ରାସବାଦୀ ଦଳ ଗଠନ
କୃତ୍ତିବାସ ପାଟ୍ଟଶାଣୀଙ୍କୁ ସହଯୋଗ ଦେଇ
ଥିଲା କନ୍ଧ ସର୍ଦ୍ଦାର-ଲୋଚନ |୯|
ଫତୁରୀ ଦମନ ପରେ ଘୂରି ବୁଲିଲେ କୃତ୍ତିବାସ
ବଣ ଜଙ୍ଗଲ ମଧ୍ୟରେ
ଫିରିଙ୍ଗ ହାତରେ ଧରା ପଡ଼ିଲେ ବାସୁଦେବ
ନରେନ୍ଦ୍ର ସିଂହଙ୍କ ଚକ୍ରାନ୍ତରେ |୧୦|
ଅଭିଯୋଗ ଅଣାଗଲା ରାଜଦ୍ରୋହ ନରହତ୍ୟା
ଡକାୟତି ତାଙ୍କ ବିରୋଧରେ
ତଳେ ମୁଣ୍ଡ ନୁଆଁଇଲେ ନାହିଁ ଦ୍ୱୀପାନ୍ତର
ଆଦେଶ ଦେଲା ଶେଷରେ |୧୧|
ପ୍ରାଣ ତ୍ୟାଗ କଲେ କୃତ୍ତିବାସ ପାଟ୍ଟଶାଣୀ
ଆଣ୍ଡାମାନରେ ରହି
ଓଡ଼ିଆ ଜାତି ମୁକ୍ତି ସଂଗ୍ରାମର ମହାରଥୀଙ୍କୁ
ହରାଇ ବସିଲା ସବୁଦିନ ପାଇଁ |୧୨|
