ମତେ ନେଇ ଯାଆ
ମତେ ନେଇ ଯାଆ
ପ୍ରେମ ଜୀବନର ଏବେ ଶେଷ ନା ଆରମ୍ଭ
କେ ଜାଣେ ଗନ୍ତବ୍ୟ
ବୁଝି ହୁଏ ନାହିଁ ଯାହା
ଭୂତ ଭବିତବ୍ୟ
ମୁକ୍ତିର ରାହା ଖୋଜି
ନୟନ ଅବଶ
ପବନ ନ ଚହଲେ
କ୍ଲାନ୍ତ ନିଥର ପରିବେଶ
କାହିଁକି କେଜାଣି
ଜୀବନଟା ଅଦୃଶ୍ୟ କାରାଗାର ପାଲଟିଛି
ଛୁଇଁଯାଏ ହତାଶା କାହିଁକି
ଭିଡରୁ ଆମକୁ ଏକୁଟିଆ ବାଛି
ଯେବେ ନିଜେ ବି ନିଜର
ମୁଁ ଏଠି ନୁହେଁ ସାହା
ତେବେ କାନେ ଶୁଭିଯାଏ ତୁମ
"ନେଇ ଯାଆ
ମତେ ନେଇ ଯାଆ"
ଘୋଟିଛି ମନ ଆକାଶରେ
ପରିବର୍ତ୍ତନର ଯେତେ ଆଶା
କିଏ ଶୁଣେ
ମୂକ ତରୁ ଭାଷା
ନିରସ ନିରାଶ
ତୁମ ମନ ଡ଼ାଳ
କୁଆଁ ମାରି ଦେଖାଇବ
ପ୍ରୟାସର ଫଳାଫଳ ?
ଜାଣ ତୁମେ ଭଲ କରି
ଅସମ୍ଭବର ମୁଁ ଅନ୍ୟ ନାଆଁ
ତଥାପି କାନରେ ଶୁଣେ
ତୁମ ବିଳାପର ସ୍ୱର
ମତେ ନେଇ ଯାଆ
ନେଇ ଯାଆ
ଠାକୁର ନାହାନ୍ତି
ଏଠି ଚାରି ବାହାକୁ
ମତେ କହିବନି ତ
କହିବ ଆଉ କାହାକୁ !
ନାହିଁ ସେ ଚଉଡା ଛାତି
ମୋ ଠାରେ ଅଦମ୍ୟ ସାହସ
ଚଳଚ୍ଚିତ୍ରର ନାୟକର
ଦମ୍ଭ ଭରା ହସ
ଭଲ ପାଇବା ତ ଏକମାତ୍ର ପୁଞ୍ଜି
ଆଉ ସେ ଟିକକ ଛଡ଼ା
ଜୀବନର ସବୁ ଘର
ରହିଗଲା କେତେ ଅସଜଡ଼ା !
ଶତ ବିନିଦ୍ର ରଜନୀ
ଆଖିରେ କେତେ ପାଣି ମରେ
ସପନରେ ଦୌଡ଼ିଲେ ବି
ପଛ ପଟୁ କିଏ ଟାଣି ଧରେ
ଘେରିଛନ୍ତି ଭୟ ଶଙ୍କା
ମନ ମଧ୍ୟେ ଅସଂଖ୍ୟ ପ୍ରମାଦ
ଚାରିଆଡେ ମରୁ ବାଲି
ପୋତି ହୋଇଯାଏ ପାଦ
ମାତିଛି ମରୁଝଡ଼
ଉଠେ ଯେତେ ଯେତେ ବାଲି ଧୂଆଁ
ଶୁଭେ ତୁମ କଥା ସ୍ପଷ୍ଟ ଗୋଟି ଗୋଟି
"ମତେ ନେଇ ଯାଆ, ନେଇ ଯାଆ"
ପ୍ରତୀକ୍ଷାର ପୀଡା
ଆଉ ଅଦୃଷ୍ଟର ଚିନ୍ତା
ମନ ଅଗଣାରେ ଜଳେ
କେତେ ସ୍ବପ୍ନର ଚିତା
ଶ୍ମଶାନ ପାଖର ରାସ୍ତା
ଅନ୍ଧାରିଆ ଡେଙ୍ଗା ଗଛ
ଦୂର କୁଡ଼ିଆର ମିଞ୍ଜି ମିଞ୍ଜି ବତୀ
ସେଠି ଘାଟିଆ ଦେଖିବ
ବସିଥିବି ଡଙ୍ଗା ମଙ୍ଗେ
ମୁଁ ମୁଣ୍ଡ ପୋତି
ଅନ୍ଧାରରେ ପଳାୟନରତ
ଆମେ ଯୁବକ ଯୁବତୀ
ଆକାଶର କୁଆଁ ତାରା
କିଏ ଶୁଣେ ସ୍ପନ୍ଦନ ବୁକୁର
ରାସ୍ତା ଆଗରେ ନସର ପସର
ହୁଅନ୍ତି ଗଳିର କୁକୁର
ବଢ଼ୁଥିବ ମନେ ଭୟ
ପାହୁଥିବ ଘଟଣାମୟ ସେ ରାତ୍ରି
ଅଜ୍ଞାତ ଷ୍ଟେସନରୁ ରେଳ ଭିତରକୁ
ଉଠି ଯାଉଥିବେ କେତେ ଯାତ୍ରୀ
ଗଢ଼ିବ ସୁନା ସଂସାର
ସେ ସବୁ ତ ସ୍ୱପ୍ନ ନାହିଁ ତୁମ ଆଗେ କିଛି
କଥା ମାନି କେତେଥର ସତେ
ଲୁହ ଥିବ ପୋଛି
ଛାୟାପଥ ଯାଏଁ ଅତିଦୀର୍ଘ ମରୁପଥ
ଜୀବନଟା ସେମିତି ଧୂସର
କାହା ଲାଗି ଜୀବନର ଅଧିକାର
କାହା ହାତେ ମୃତ୍ୟୁର ଡୋର
ଏଠି ହସର କବର ତଳେ
କେତେ ଯେ ବେଦନା ଅକୁହା
ଶୁଭେ ତୁମ ବିଚଳିତ ସ୍ୱର
ନେଇ ଯାଆ, ମତେ ନେଇ ଯାଆ
ଏଠି ହୁଏ ସମୟ ଅଟକ
ଏଠି ସେହି ଦିପହର ଗୁଳୁଗୁଳି
ଅଜାଣତେ ଚଢି ଚାଲି ଯାନ୍ତି ପାଦ
ସବୁ ମନ ଫୁଲ ଦଳି
ନିର୍ଦ୍ଦୋଷ ଫଗୁଣ ହସେ
ଲୁହମିଶା ହସ
କେବେ ଉଲୁସାଏ
କେବେ ଫୁସୁଲାଏ
କରୁଣ ସେ ସୁଲୁ ସୁଲୁ ବାଆ
କାନେ କହି ଚାଲିଯାଏ ତୁମକଥା
"ମତେ ନେଇ ଯାଆ,
ମତେ ନେଇ ଯାଆ" ।