ମଶାରୀ ଭିତରେ ମଶା
ମଶାରୀ ଭିତରେ ମଶା
ବାନ୍ଧି ଜଟାଜୁଟ ଧରି ଛଦ୍ମବେଶ
ଦୁଷ୍ଟ ହୁଏ ନାହିଁ ସାଧୁ
ଧରମ ନାମରେ ଭେଳିକି ଭଣ୍ଡାମୀ
କରେ ଦୁରାଚାରୀ ବୁଦ୍ଧୁ ।
ପିନ୍ଧି ଜାମାଯୋଡ ମଠଣ ଖଦଡ
ଭାଷଣ ଦେଇ ମଧୁର
ଲୁଟନ୍ତି କେତେକ ସାଧାରଣ ଅର୍ଥ
ଦେଖାନ୍ତି କ୍ଷମତା ବଳ ।
ବ୍ଯବସ୍ଥା ନାମରେ କରନ୍ତି ଲଙ୍ଘନ
ବିଧି ବିଧାନର ସୀମା
ବିଚରା ନୀରିହ ଚାହିଁ ଜଳଜଳ
ଭାଗ୍ୟକୁ ନିନ୍ଦଇ ସିନା ।
ଅତୀବ ଚତୁର ଅସାଧୁ ବଣିକ
ଚଳାଏ କଳାବଜାର
ଚଢା ମୂଲ୍ଯ ନେଇ ବିକିଣ ଭେଜାଲ
ହୋଇଯାଏ ମାଲାମାଲ ।
ଆଇନ ଆଖିରେ ବନ୍ଧା କଳାପଟି
ଅପରାଧି ଯାଏ ଖସି
ନାଲି ଫିତା ତଳେ ଗରିବଙ୍କ ଭାଗ୍ଯ
ହୋଇଯାଏ ଚାପି ପେଷି ।
ବାଜୁନାହିଁ ଜମା ଡିବିଡିବି ବାଜା
ଢୋଲର ଭିତରେ ମୂଷା
ଭଣଭଣ ମାଛି ଜୀବାଣୁ ଭୂତାଣୁ
ମଶାରୀ ଭିତରେ ମଶା ।
ବିପଦ ସଙ୍କୁଳ ସମାଜ ଜୀବନ
ଅନ୍ଧକାର ଭବିଷ୍ୟତ
ଗ୍ରାସ କରେ ନୀଚ୍ଚ ଲୋଭ ଅହଙ୍କାର
ଦୁର୍ନୀତି ତୋଷରପାତ ।
ନେବା ଆସ ଆମେ ଦୃଢ ସୁସଙ୍କଳ୍ପ
ଅନୁସରି ଧର୍ମ ସତ୍ଯ
ଗଢିବା ସୁନ୍ଦର ସୁରକ୍ଷ ସମାଜ
ସତର୍କ ହେବା ଜାଗ୍ରତ ।
