ମଶାଣିର ଅଟ୍ଟହାସ୍ୟ
ମଶାଣିର ଅଟ୍ଟହାସ୍ୟ
ତୁଳସୀ ପାଦପ ଭଗ୍ନ ଖର୍ପର
ଠାଏ ଠାଏ ଛିଣ୍ଡା ବାସ,
ପାଉଁଶ କୁଢ଼ରୁ ସତେ କି ଶୁଭଇ
ମଶାଣିର ଅଟ୍ଟହାସ୍ୟ !
ସୂଚାଇ ଦିଅଇ ହେ ଚେତନଗଣ
ଯାହା ପାଇଁ ହିଂସା ଦ୍ବେଷ,
ପୂତିଗନ୍ଧମୟ ସେ ନରକ ଦେହ
କେବଳ ମୋ ଦେହେ ଶେଷ ।
ଯେତେ ବଡ଼ପଣ ଗର୍ବ ଅହଂକାର
ରଖିଛ ହୃଦେ ସାଇତି,
ନାଶ ଦିନେ ସବୁ ମାଟି ଦେହ ସହ
ଚିରସ୍ଥାୟୀ ନୁହଁ କ୍ଷିତି ।
ଏପରି ଗୁଣର ହୋଇ ଅଧିକାରୀ
ପାଅ କିଆଁ ଅପଯଶ ?
ଆନକୁ ପରଖି ନ ଚେତ କାହିଁକି
ରହେ ନି କି ଅବସୋସ ?
ରାମ ନାମ ସତ୍ଯ ହରି ନାମ ସତ୍ୟ
ମଶାଣି ବାହକ ଗାଇ
ବୋହି ଆଣେ ଯେବେ ମର ଶରୀରକୁ
ନିଜ କଥା କି ଭୁଲଇ ?
ଲେଲିହାନ ଶିଖା ତୋଳି ଜଳେ ଜୁଇ
ନ ହୁଏ କି ପ୍ରଭାବିତ ?
ଆଣ୍ଟ ଭାଙ୍ଗି ମନ ନ ବୁଝେ କାହିଁକି
ମୋ ମାଟିଟି ଶେଷ ପଥ ।
ମୋ ପାଖରେ ନାହିଁ ଧନୀ କି ଗରିବ
ନିଏ ଆଦରେ କୋଳେଇ
ବୃଥା ଆସ୍ଫାଳନ କିଆଁ ତୁମେ କର
ମୁଁ ପରା ସାଥୀ ସବୁରି ।।
