ମରୁଭୂମି
ମରୁଭୂମି
ତୁମେ ମୋତେ ଭଲ ପାଉଥିଲ ବୋଲି
ଠରାଠରି ହେଉଥିଲେ ଗଛ
ପତରେ ପତରେ ଭାବ ଦିଆନିଆ
ଦୁନିଆଟା ଲାଗୁଥିଲା ତୁଚ୍ଛ ।
ମନ ଉଦ୍ୟାନରେ ଫୁଟି ନାନା ଫୁଲ
ବାସ୍ନା ବାଣ୍ଟୁଥିଲେ ଚାରିଆଡେ
ପାଗଳ ଭଅଁର ମଧୁ ଚୁମି ଚୁମି
ସ୍ଵପ୍ନର ମହଲ ସ୍ଵପ୍ନେ ଗଢେ ।
କିନ୍ତୁ ତୁମେ ଆଜି ଭୁଲିଗଲ ବୋଲି
ଫୁଟି ନାହିଁ ଫୁଲ ବଗିଚାରେ
ଫୁଲକୁ ନ ପାଇ ନିରାଶ୍ରୀ ଭଅଁର
ନିତି ଜୀଏଁ ପୁଣି ନିତି ମରେ ।
ଜଳି ମରିଗଲେ ସବୁ ତରୁ ଲତା
ବାକି ରହିଗଲା କଣ୍ଟାଗଛ
ନିଜର ରକ୍ତକୁ ନିଜେ ମୁଁ ପିଉଛି
ସାଜି ଏଠି ମରୁଭୂମି ଓଟ ।
ପ୍ରେମର ସହରେ ଲାଗିିଗଲା ନିଆଁଁ
ମୋ ଜୀବନ ହେଲା ମରୁବାଲି
ମନ ପଞ୍ଜୁରୀରୁ ସୁନା ପକ୍ଷୀ ମୋର
ଦୂର ଦେଶେ ଉଡିଗଲା ବୋଲି ।
କଣ୍ଟାର ଆଘାତ କେତେ ସହିଥିଲି
ସାଥୀ ଥିଲା ମୋର ଫୁଲ ବୋଲି
ଫୁଲ ଚାଲିଗଲା ଆଉ କା ସାଥିରେ
ସାଥି ମୋ ମରୁର ତପ୍ତବାଲି
ସାତପର ହେଲା ବୋଲି ଫୁଲରାଣୀ
ଜୀବନ ସାଜିଲା ମରୁଭୂମି
ସେ ଦିନୁ ଜଳୁଛି ଅନ୍ତରେ ଅନ୍ତରେ
ଆଖି ଲୁହ ଯାଏ ଓଠ ଚୁମି
ମରୁଭୂମିର ମୁଁ ବିରହ ପ୍ରେମିକ
ବାଲୁକା ରାଶି ମୋ ସହଚର
ବାଲିରେ ମରିବି ବାଲିରେ ବଞ୍ଚିବି
ମରୁଭୂମି ମୋର ସ୍ଥାୟୀ ଘର ।।

