ମରୁବାଲି
ମରୁବାଲି
ନିଦାଘରେ ତପ୍ତ ମରୁବାଲିପରେ
ଆଶାର ବରଷା ଝରାଇ ଦେଇ
ସିକ୍ତ କରିଦେଇ ଚାଲିଗଲା ମେଘ
ଝୁରୁଛି ସେ ଆଜି ଆକୁଳ ହୋଇ ।
ପାଇନି କେବେ କା ପାଦର ପରଶ
ଜନମ ତାହାର ମରୁରେ ବୋଲି
ନିର୍ଜନ ପଥରେ ପଡିଛି ଏକାନ୍ତେ
ପଥିକ କେବେ କେ ଆସିବ ଚାଲି ।
ଧରିତ୍ରୀ ମାଆର ବକ୍ଷକୁ ଜାବୁଡି
ଜନ୍ମରୁ ପଡିଛି ଅଲୋଡା ହୋଇ
କେତେ ଦିନ କେତେ ରାତି ବିତିଲାଣି
ତଥାପି ଜୀବନ ଅଧୁରା କାହିଁ ।
ହୃଦୟରେ ଭରା ଅସରନ୍ତି କଥା
କହିବାକୁ ନାହିଁ ସାଥିଟେ କେହି
ନୀରବତା ଭାଙ୍ଗି ଖୁସି ଟିକେ ପାଇଁ
ବୃଥା ଆସ୍ଫାଳନ କରି ତ ନାହିଁ ।
ଦୂର ଦିଗନ୍ତରେ ମେଘମାଳା ଦେଖି
ଭାବିଥିଲା ବର୍ଷା ଛୁଇଁବ ତାକୁ
ବିଧି ହେଲା ବାମ ମେଘ ଗଲା ଦୂର
ସପନ କନ୍ଦାଏ ମରୁବାଲିକୁ ।
ବିରହି ବିଦଗ୍ଧ ପରାଣ ଜାଣିଛି
ମରୁବାଲି ହୃଦ ଯନ୍ତ୍ରଣା କୋହ
ଅନ୍ତର ଜ୍ବାଳାକୁ ସହିଛି ସେମିତି
ଝରାଏନି କେବେ ଆଖିରୁ ଲୁହ ।
