ମୃତ୍ୟୁର କୋଳରେ
ମୃତ୍ୟୁର କୋଳରେ
ମୃତ୍ୟୁର କୋଳରେ ଶୋଇଛି ଶାନ୍ତିରେ
ମାଆ ତୋ କୁମର ମଣି
ବୁକୁ ଫଟାଇ ତୁ କାନ୍ଦିଲେ ବି ଯେତେ
ଜମା ସିଏ ଉଠିବନି ।
ଶୁଭୁନାହିଁ ତୋର ହୃଦୟ ବିକଳ
ଅଫେରା ପଥର ଯାତ୍ରୀ
ମୋହ ମାୟା ଭରା ବନ୍ଧନ ତୁଟାଇ
ପାଇଯାଇଅଛି ମୁକ୍ତି ।
ଦୁଇଦିନ ପାଇଁ ସଂସାରକୁ ଆସି
ଗଢିଲା ଜୀବନ ତା'ର
ମମତା ଡୋର ତୋ ଛିଣ୍ଡାଇ ଯାଇଛି
ସାଜି ସିଏ ସ୍ୱାର୍ଥପର ।
ହୋଇନି ବୟସ ପୁରିଲା ଆୟୁଷ
ସରିଲା ତାହାର ଖେଳ
କାହିଁକି ପାଶୋରି ପାରୁନୁ ମନରୁ
ଗର୍ଭ ଯନ୍ତ୍ରଣାର ବେଳ ।
ଯେତେଦିନ ପାଇଁ ତୋ ' ସମ୍ପଦ ସାଜି
ଆସିଥିଲା ଦୁନିଆକୁ
ସେତିକି ଦିନ ସେ ସୁଖ ଓ ଦୁଃଖରେ
ଜୀଇଁଗଲା ଜୀବନକୁ ।
ବିହି ଲେଖା ଫଳ ଭୋଗିବା ତ ସାର
ଭୋଗିଲା ମରଣ ସିଏ
ଈଶ୍ୱରଙ୍କ ଠାରୁ ଶକ୍ତିଶାଳୀ ଆଉ
ଜଗତରେ ଅଛି କିଏ ?
ତା ସାଥେ କଟିଛି ଯେତେ ମିଠା କ୍ଷଣ
ଅଭୁଲା ମୁହୂର୍ତ୍ତ ସ୍ମୃତି
ପୋଛି ଦେ ମନରୁ ଗୋଟି ଗୋଟି କରି
ପଥର କରି ତୋ ଛାତି ।
ଜନମ ମରଣ ସଂସାର ନିୟମ
ଦୁଇ ମହା ଧ୍ରୁବ ସତ୍ୟ
ରଖୁଛି ପାଚିଲା ନେଇଯାଏ କଞ୍ଚା
ଆସି କାଳଯମ ଦୈତ୍ୟ ।
ମାୟା ଜାଲ ଏଠି ପଡ଼ିଅଛି ଛିଣ୍ଡି
ଆଉ ପାରିବୁ କି ଯୋଡି
ହାରିଗଲା ଧନ ଦୁନିଆ ଦାଣ୍ଡରେ
ପ୍ରାଣ ସହ ଲଢ଼ି ଲଢ଼ି ।
ଦୁଇଖଣ୍ଡ କାଠ ନିଆଁ ମୁଠେ ପାଇ
ମାଟିରେ ମିଶିବା ପରେ
ଆତ୍ମା ଅବିନାଶୀ ମୋକ୍ଷ ଲାଭ କରି
ଲୀନ ହେବ ପରମାତ୍ମାରେ ।