ମୃତ୍ୟୁର ବି ଥାଏ ମଣିଷ ପଣିଆ
ମୃତ୍ୟୁର ବି ଥାଏ ମଣିଷ ପଣିଆ
ମୃତ୍ୟୁର ବି ଥାଏ ମଣିଷପଣିଆ
ମିଥ୍ୟା ବି ଅମୃତ ଢାଳେ
ନ୍ୟାୟାଳୟ ଆଖଡାରେ ପରାଜିତ
ହୁଏ ସତ୍ୟ ବେଳେବେଳେ ।
ବ୍ୟଭିଚାରୀଙ୍କର ଗୁପ୍ତ ଆଖଡାରେ
ନ୍ୟାୟାଧୀଶ ବି ବିବଶ
ତଥାପି ବଞ୍ଚିଛି ନ୍ୟାୟର ନିକିତି
ହୋଇନି କେବେ ଅବଶ ।
ମଣିଷ ମୁଖାରେ ଅମଣିଷପଣ
ବିଷର ବଳୟ ରଚେ
କୁହ ବନ୍ଧୁ ! ମୁଁ କି ଭୁଲ୍ କହୁଅଛି
ମିଛ ବାଣ୍ଟେ ମିଛେ ମିଛେ ।
ପ୍ରତାରଣା ଏକ ଜଘନ୍ୟ ଅପ୍ରାଧ ,
ଅହଙ୍କାରୀର ହୁଙ୍କାର
ସତ୍ୟ ସ୍ୱୟଂ ହୁଏ ଆତ୍ମସମର୍ପିତ
ଜ୍ଞାତରେ ପିଇ ଜହର ।
ମୂକ ବଧିରଙ୍କ ଆର୍ତ୍ତନାଦ କେବେ
ଅନୁଭବିଛ କି ବନ୍ଧୁ
ନିର୍ବାକ୍ ହେଲେ ବି ନିଃଶବ୍ଦ ନୁହନ୍ତି ,
ଅନ୍ତରାତ୍ମା ଶୁଦ୍ଧ ସିନ୍ଧୁ ।
ନିର୍ଜନ ରାତ୍ରିର ଅମା ଅନ୍ଧକାର
ଉପଭୋଗିଛ କି ତୁମେ
ମୁଁ ହଜି ସାରିଛି ସେ ସ୍ତବ୍ଧଲଗ୍ନରେ
ତା' ପ୍ରଚ୍ଛନ୍ନତା ମୁଁ ଜାଣେ ।
ସାମ୍ବିଧାନିକତା ,ପାରମ୍ପରିକତା
ଅଥବା ସାମାଜିକତା
କୁହ ତ , କେଉଁଠି ଅନୁଭବିଅଛ
ବେଦର ପ୍ରାଥମିକତା ।
ବେଦ ବି ନିଃଶବ୍ଦ ସମ୍ବିଧାନ ସ୍ତବ୍ଧ
କୁଟିଳ ରାଜନୀତିରେ
ନିତି ନିତି ଏଠି କୁରୁକ୍ଷେତ୍ର ଚାଲେ
ସିଂହାସନର ଲୋଭରେ ।
ନ୍ୟସ୍ତସ୍ୱାର୍ଥାନ୍ୱେଷୀ ସଂକୀର୍ଣ୍ଣ ସମ୍ରାଟ୍
ଧର୍ମାନ୍ଧ ସେ ଧୃତରାଷ୍ଟ୍ର
କଳଙ୍କ-ପଙ୍କରେ କଳ୍ପି କି ପାରିବ
ସମୃଦ୍ଧିଶାଳୀ ସ୍ବରାଷ୍ଟ୍ର ।
ଧର୍ମ ନାମ ନେଇ ସଂକୀର୍ତ୍ତନ ଚାଲେ
ସଂକୀର୍ଣ୍ଣତା ଅଳଙ୍କାରେ
ଜନନୀ ପଣତ ହେଉ ଭୁଲୁଣ୍ଠିତ
ବରଂ, ମିଛ ଅହଙ୍କାରେ ।
ଅହଙ୍କାର ତୁମ ଦୁର୍ବାର ଜଘନ୍ୟ
ଚିହ୍ନେନି ଜନନୀ ଜାୟା
ବୁଝେନି ପ୍ରୀତି ବା ମମତାର ମୂଲ
ବର୍ବର ତା' ତୀକ୍ଷ୍ଣକାୟା ।
କି ଲାଭ ଯେଉଁଠି ଭାଇର ରକ୍ତରେ
ବିଜୟର ଟୀକା ବହି
ଗୋଷ୍ଠୀକୈନ୍ଦ୍ରିକତା ବ୍ୟକ୍ତିକୁ କରଇ
ସମାଜଠାରେ ବିଦ୍ରୋହୀ ।
ଛଳ କପଟର ଜୀବନଠୁ ବରଂ
ସତ୍ୟପଥେ ମୃତ୍ୟୁ ଶ୍ରେୟଃ
ମାନବବାଦର ଆଲୋକଶିଖାରେ
ଥାଏ ଆନନ୍ଦ ଅଭୟ ।