ମୃତ୍ୟୁ
ମୃତ୍ୟୁ
ମୃତ୍ୟୁ ବେନି ବର୍ଣ୍ଣ ଆତଙ୍କ ଭବନ ଚିରନ୍ତନ ସତ୍ୟ
ଯାବତ ଜନନ ତାବତ ମରଣ ଏ ପରମ ତଥ୍ୟ |
ଏତ ମୃତ୍ୟୁପୁରୀ ଏ ମରତ ପୁରୀ କେହି ନୁହେଁ ସ୍ଥିର
ମୃତ୍ୟୁ ପଥେ ସର୍ବେ ଗମନ୍ତି ଊରବେ ବିଧାନ ବିଧିର |
ମହାକାଳ କ୍ରୁର ଧରି ଜୀବକୁଳ କରେ ଆକର୍ଷଣ
ହିରଣ୍ୟ ଗର୍ଭ ସେ ଭୂତମହାର୍ଣ୍ଣାବ ଅତୀବ ଭୀଷଣ |
ନାହିଁ ତାର ଦୟା ଉପ୍ରୋଧ କି ମାୟା ଅବା ପକ୍ଷପାତ
ସମ ଭାବେ ଏଠି ସତ୍କୃତ ହୁଅନ୍ତି ଭିକ୍ଷୁ ନରନାଥ |
ସାମାନ୍ୟ ସୂଚନ ନଦେଇ ଶମନ ପଶଇ ଧସାଇ
ଚିଠି ଦୂରଭାଷ ସତର୍କ ଆଭାସ କାରେ ଦିଏ ନାହିଁ ||
ଅଦୃଶ୍ୟରେ ଆସେ ଆକସ୍ମିକ ନାଶେ ଲାଗଇ ବିସ୍ମିତ
ତା ଶୀତଳ କର ସ୍ପର୍ଶେ କଳେବର ପ୍ରାଣ ବିବର୍ଜିତ |
କାଲି ଖେଳୁଥିଲା ସାଙ୍ଗ ସାଥି ମେଳେ କରମ ତତ୍ପର
ଆଜି ସେ ଶୋଇଛି ସପତ ଚାଖଣ୍ଡ ଭୂମି ତଳପର |
କେତେ ପ୍ରସାଧନ ଅତର ସାବୁନ ଯେ ଦେହ ଭୂଷଣ
ସେହି ଦେହ ଆଜି ମାଟିରେ ପଡ଼ିଛି ମାଛି ଭଣଭଣ |
କିଣି ଜମିବାଡ଼ି ଗଢ଼ି କୋଠା ଧାଡ଼ି ମାଳମାଳ ଗାଡ଼ି
ଅର୍ଥ ଉପାର୍ଜନ କଲା ରାତିଦିନ ସବୁ ଗଲା ଛାଡ଼ି |
ଆସିଛୁ ଏକଲା ଯିବ ତୁ ଏକଲା କେ ନଯିବେ ସାଥେ
ଆସିଛୁ ଲଙ୍ଗଳା ଯିବ ତୁ ଫୁଙ୍ଗୁଳା ଧର୍ମ ବହି ମାଥେ |
ଅଢ଼େଇ ଦିନିଆ ମର୍ତ୍ତ୍ୟର କୁଣିଆ ଜାଣି ତୁ ଅଜଣା
କିଛି ନୁହେଁ ତୋର ସବୁ କହୁ ମୋର ଭଵବଣେ ବଣା |
ମଶାଣି ତୋହର ଅନ୍ତିମ ଠିକଣା ମନେ ହେତୁ କର
ଜୀବନ ଅସ୍ତିତ୍ୱ ମୁଠାଏ ପାଉଁଶ ଗର୍ବ ପରିହର |
ମାତୃଗର୍ଭ ପଥେ ଆସନ୍ତି ସମସ୍ତେ ଯାନ୍ତି ଭିନ୍ନ ପଥେ
ମୃତ୍ୟୁ ସତ୍ୟ ଯେଣୁ ଧର୍ମ ଅର୍ଜ ତେଣୁ ଯଥା ସାଧ୍ୟମତେ |
କେହି ରହିନାହିଁ ଭବ ରଙ୍ଗମଞ୍ଚେ ସାରି ଅଭିନୟ
କାଳ କବଳରେ ନେବେଟି ବିଦାୟ ଏହା ଧ୍ରୁବ ଥୟ |
ବାଲ୍ୟ କଇଶୋର ଯୌବନ ବାର୍ଦ୍ଧକ୍ୟ ଆସେ ଯେଉଁପରି
ଅନ୍ତିମ ଅବସ୍ଥା ମରଣ ସର୍ବଥା ଥାଅ ହେତୁକରି |
ତେଜି ଜୀର୍ଣ୍ଣ ବାସ ଯେହ୍ନେ ନବ ବାସ ଆହରେ ମାନବ
ତେହ୍ନେ ଜୀର୍ଣ୍ଣ ଘଟ ତେଜି ଆତ୍ମା ଧରେ ଆନ ଅଵୟଵ |
ମୃତ୍ୟୁକୁ ନଡରି ହେ ଶରୀରଧାରୀ କରିଯାଅ କର୍ମ
ଦିନେ ତ ଆସିବ କିଏ ବା ରୋକିବ ନାମ ତାର ଯମ |
ପର ଉପକାର ପୁଣ୍ୟମୟ ବ୍ରତେ ହୁଅ ଅନୁବର୍ତ୍ତୀ
ଟଙ୍କା ନେଇ କେହି ସରଗ ଯାଇନି ଦାନେ ଦିଅ ମତି |
ମାଟିଘଟ ଦିନେ ମାଟିରେ ମିଶିବ ଯଶ ହିଁ ଅମର
ପଦ ଚିହ୍ନ କିଛି ରଖିଯାଅ କୀର୍ତ୍ତି ସ୍ଥାପି ମହୀପର |