ମରିଛି ନା ବଞ୍ଚିଛି
ମରିଛି ନା ବଞ୍ଚିଛି
ଅନେକ ଥର ମରିସାରିଛି ମୁଁ
ତଥାପି କହୁଛି ଜିଇଛି
ବାପା ମାଆ ଙ୍କୁ ଦେଖିବାକୁ ଟିକେ
କେତେଥର ଗାଁ ଯାଇଛି l
ଖୁସିରେ ଭଉଣୀ ରାକ୍ଷୀ ଧରି ଆସେ
ସମ୍ପର୍କ ମାନେ କିବା ବୁଝିଛି
ବାପା ମାଆ ଭାଇ ଭଉଣୀ ଆସିଲେ
ଟଙ୍କା ମାଗିବେ କାଳେ ଭାବିଛି l
ବାପା ଆସି ଟଙ୍କା ଦେଇଗଲାବେଳେ
ଅଟକେଇ କିବା ରଖିଛି?
ପଶୁ ପକ୍ଷୀ ବୃକ୍ଷ ଦେଵତା ସମାନ
କି ଅବା ତାଙ୍କପାଇଁ କରିଛି l
ଅନାଥ ଦରିଦ୍ର ଦିବ୍ୟାଙ୍ଗ ନିରାଶ୍ରୟ
ସହାନୁଭୂତି କିବା ଦେଖାଇଛି
ନିଜ ପିଲାଙ୍କର ଆୟସ ଆରାମ ବଢାଇ
ଶିଶୁଙ୍କୁ କେତେ ଭଲ ପାଇଛି l
ଗାଁରେ ବଢ଼ି ସହରେ ପଢ଼ି ବାବୁ ହୋଇ
ଠିକଣା କାହାର ରଖିଛି
ସାଙ୍ଗସାଥି ଗାଁ ନଈକୂଳ ଆମ୍ୱତୋଟା ଭୁଲି
ସହରୀ ଚାକଚକ୍ୟରେ ଫସିଛି l
କୃଷକ ଶ୍ରମିକ ଗାଁ ପାଣି ପବନରୁ ଉଦ୍ଭବ
ଜୀବନ ଯା ପାଇଁ ରହିଛି
ଗାଁ ଓ ସହର ପରିପୂରକ ପରସ୍ପରର
ଭାଷଣ କେତେ ରଖିଛି l
ସବୁ ଜାଣିଶୁଣି ଏ କଳି ଯୁଗରେ କାହିଁକି
ଯନ୍ତ୍ରମାନବ ସାଜିଛି
ଶିଳ୍ପସମୃଦ୍ଧ କରୁଛି ଭାବିଛି ଯାହା ମୁଁ
କାଳର କରାଳେ ଧ୍ଵଂସ ହେଉଛି l
ଭଗବତ ବିଶ୍ୱାସ ଆଧ୍ୟାତ୍ମିକ ଚେତନାରେ
ପ୍ରିୟା ପ୍ରିତୀ କେତେ ମାପୁଛି
ତଥାପି ଜଗନ୍ନାଥ କୈବଲ୍ୟ କଣିକା ଟିକିଏ
ନିଜ ପାଇଁ ସାଇତି ରଖିଛି
ନିଜେ ପଙ୍ଗୁ ଅଥର୍ବ ଦିବ୍ୟାଙ୍ଗ ସାଜି ସଜେଇ
କେବେଠୁ ମରିସାରି ଖାଲି ବଞ୍ଚିଛି।