ମୃଗତୃଷ୍ଣା
ମୃଗତୃଷ୍ଣା
କାନକୁ ଶୁଭେ ନାହିଁ
ତାର ପାଦ ଶବ୍ଦ
ଆଖି ଆଗେ ନାଚୁଥାଏ,
ଅନବରତ ଆସେ
ଭାବନାର ରଙ୍ଗୀନ ଅଲୁଅରେ
ସେ କାମନାର ମୃଗତୃଷ୍ଣା
ମନ ସାଥେ ଲୁଚକାଳି
ଅବିରତ ଖେଳେ।
ଅହେତୁକ ଆକର୍ଷଣ ତାର
କରେ ବିବଶ
ଟାଣିନିଏ ଦୃଷ୍ଟିଶକ୍ତି
ଅନୁସରଣ କରିବାକୁ
ଆବେଗତା ଧାଇଁ ଯାଏ,
ଅଦୃଶ୍ୟ ମଧ୍ୟରେ
ହେଉଥାଏ ଦୃଶ୍ୟମାନ
ହାତ ବଢ଼ାଇ ହୁଏନା ଧରି
ତଥାପି ତାର ପଶ୍ଚାତଧାବନ
ପ୍ରାଣମୂର୍ଚ୍ଛା କରିବାକୁ ଥାଏ।
ଆଶାରେ ସେ ଥରକୁ ଥର
ଝଲସି ଉଠୁଥାଏ
ଯେତେ ଦୂର ଗଲେ ବି
ପହଞ୍ଚି ହୁଏନା ତା' ପାଖରେ
ଯଦିଓ ଛୁଇଁଲା ଛୁଇଁଲା
ପରି ଲାଗୁଥାଏ,
ଦିଗ୍ ବଳୟ ଯେତେଯେତେ
ଆଗକୁ ଆଗକୁ
ଅପସରି ଯାଉଥାଏ
ସେ ସେତିକି ସେତିକି
ପାଖରୁ ଘୁଞ୍ଚି ଘୁଞ୍ଚି ଦୂରକୁ ଯାଏ।
ଜୀବନ ମରୁରେ
ଏ ଅବାସ୍ତବ ପ୍ରତିଛବି
ଭ୍ରମ ସୃଷ୍ଟି କରି
ତୃଷ୍ଣାକୁ ବଢ଼ାଇ ଦିଏ,
ଅବୁଝା ମନ ଅନିୟନ୍ତ୍ରିତ
ବୁଝେନା କିମିଆଁ ତାର
ଉତ୍ତପ୍ତ ବାଲୁକା ଶେଯରେ
ଶୂନ୍ୟତାକୁ ଜାବୁଡି
ଖାଲି ଛଟପଟ ହେଉଥାଏ।