ମୋତେ ମିଳିଗଲା
ମୋତେ ମିଳିଗଲା
ହୃଦୟରୁ ଭଲ ପାଉଥିବା ନିଜ
ପ୍ରିୟ ମଣିଷକୁ ଦେଖି
ଚୁପ କିଏ ଭଲା ରହି କି ପାରଇ
ଆଖି ରହିଯାଏ ଲାଖି ।
ଝରିପଡେ ଓଠୁ ସ୍ୱତ ମଧୁହାସ୍ୟ
ସୁମଧୁର ସମ୍ଭାଷଣ
ପଦୁଟିଏ ଶୁଣି ମନ ହୁଏ ଖୁସି
ବଢିଯାଏ ଆକର୍ଷଣ ।
ପ୍ରିୟ ମଣିଷଙ୍କ ଦରଶନ ଯୋଗ
ଅନ୍ତରଙ୍ଗ ମହୁରତ
ଭରିଦିଏ ମନେ ଆନନ୍ଦ ଉଲ୍ଲାସ
ବିଚ୍ଛେଦ ଦିଅଇ ଦୁଃଖ ।
ଆପଣା ଲୋକର ଲଭିଲେ ସାନ୍ନିଧ୍ୟ
ଲାଗେ ସବୁ ପ୍ରୀତିମୟ
ସଙ୍କଟେ ବିପଦେ ଥିଲେ ଯେତେ ଦୂରେ
ଲାଗେ ନାହିଁ ତିଳେ ଭୟ ।
ମୋ ପ୍ରିୟ ମଣିଷ ଅତି ଆପଣାର
ପାଶେ ମୋର ରହିଥିଲେ
ଲାଗେ କୋଟିନିଧି ମୋତେ ମିଳିଗଲା
କଥା ପଦେ କହିଦେଲେ ।

