ମୋକ୍ଷ ପଥେ ସେ ପଥିକ
ମୋକ୍ଷ ପଥେ ସେ ପଥିକ
ଭାବନା ଭାବନା ପାଗଳଟିଏ ସେ
ସଂସାରର ମହାସୁଖୀ
କୋଠା ଘରଦ୍ୱାର ଦାମୀ ଗାଡି କାର୍
ଆଶା କରୁନାହିଁ ଦେଖି ।
ନାହିଁ ତା'ର ଲୋଭ ମୋହ ଜୀବନରେ
ବୁଝେନାହିଁ ଭଲମନ୍ଦ
ରାସ୍ତାକଡେ ବୁଲେ ଯାହା ମିଳେ ଖାଏ
ଶୋଇଥାଏ ଶାନ୍ତିନିଦ ।
ଜୀବନ ଜଞ୍ଜାଳ ଜୀବିକା ନିମିତ୍ତ
ନାହିଁ ତା'ର ଇଚ୍ଛା ମନେ
କିଏ ଆପଣାର କିଏ ଅବା ପର
ବ୍ୟାକୁଳତା ନାହିଁ ପ୍ରାଣେ ।
ଗର୍ବ ଅହଂକାର ସ୍ୱାର୍ଥ ହିଂସାଦ୍ୱେଷ
ନାହିଁ ଜମା ହୃଦୟରେ
ଭୟଭ୍ରାନ୍ତି ଦୁଃଖ ରୋଗଶୋକ ସୁଖ
ବୁଝେନାହିଁ ଦୁନିଆରେ ।
ଉତ୍ଥାନ ପତନ ଜୀବନ ମରଣ
ତାହା ପାଇଁ ନିରର୍ଥକ
ନିଜେ ସେ ଈଶ୍ୱର ନିଜ ସାମ୍ରାଜ୍ୟର
ମୋକ୍ଷ ପଥେ ସେ ପଥିକ