ମୋହର ଛୋଟ ଗାଆଁ
ମୋହର ଛୋଟ ଗାଆଁ
ସବୁଜ ବନ ପାହାଡ଼ ଘେରା
ମୋହର ଛୋଟ ଗାଆଁ
ସବୁଠୁ ମିଠା ଲାଗଇ ମୋତେ
ଉଚ୍ଚାରି ତା'ର ନାଆଁ ।
ଜାତିଜାତିକା ଗଛ ଓ ଲତା
ଶାନ୍ତ ତା'ପରିବେଶ
ସୁଲୁସୁଲିଆ ପବନ ବହି
ମନେ ଭରଇ ହସ ।
ସୁନ୍ଦର ଦିଶେ ବାଡ଼ିବଗିଚା
ନାନାଦି ଫୁଲଫଳେ
ଖରା ବରଷା ଶୀତ କାକର
ପ୍ରତିଟି ଋତୁବେଳେ ।
ଚଉଦିଗରେ କେତେ ଯେ କ୍ଷେତ
ମନକୁ ନିଏ କିଣି
ମୋ' ଗାଆଁ ଭାଇ ଖଟନ୍ତି ଯହିଁ
ରକତ କରି ପାଣି ।
ବାରମାସରେ ତେର ପରବ
ପାଳୁଛୁ ମିଳିମିଶି
ସେନେହ ଶ୍ରଦ୍ଧା ପରାଣେ ଆମ
ଭରେ ଅପାର ଖୁସି ।
ସରଳ ମନ ଚାଲିଚଳନ
ମୋ' ଗାଆଁବାସୀଙ୍କର
ନାହିଁ ହୃଦୟେ ମିଛ କପଟ
ଗରବ ଅହଂକାର ।
ସହର ଠାରୁ ଦୂରେ ମୋ ଗାଆଁ
ନିଆରା ତା'ର ରୂପ
ଭକ୍ତି ଆଧାର ଗାଆଁ ମନ୍ଦିର
ସକାଳ ସଞ୍ଜ ଧୂପ ।
ଅଙ୍କାବଙ୍କା ତା' ମାଟିସଡ଼କ
ଚାଲେ ମୁଁ ଆନନ୍ଦରେ
ସରଗ ସୁଖ ପାଉଛି ତହିଁ
ମୋ' ଛୋଟ ଚାଳଘରେ ।
ନଈର ଜଳ କି ନିରିମଳ
ଭାରି ଶୀତଳ ଲାଗେ
ଗାଧୋଇଥାଏ ନିଇତି ମୁହିଁ
ସାଥୀପିଲାଙ୍କ ସଂଗେ ।
ତା ମାଟି ପାଣି ପବନେ ଗଢ଼ା
ଏଇ ଜୀବନ ମୋର
ତାହାରି କୋଳ ଅମୂଲ ମୂଲ
ସତେ ସରଗପୁର ।
