ମୋ ସ୍ତ୍ରୀର ସାବିତ୍ରୀ ବ୍ରତ
ମୋ ସ୍ତ୍ରୀର ସାବିତ୍ରୀ ବ୍ରତ
ସକାଳୁ ଉଠି ବସିଥିଲି ବାରଣ୍ଡାରେ
ଚା କପେ ଧରି ମୋ ସ୍ତ୍ରୀ ପାଖକୁ ଆସି
ଅତି ଆନନ୍ଦରେ କହିଲା ହସି ହସି,
ହେଇଟି... ସକାଳୁ ସକାଳୁ ବଜାର ଯାଅ...
ମୁଁ କହିଲି ଆରେ ସବୁ ତ ଅଛି
ଯିବି କଣ ପାଇଁ ଯେ....
ଜାଣିନ କି... କାଲି ପରା ସାବିତ୍ରୀ
ତୁମ ଦୀର୍ଘ ଆୟୁଷ କାମନା କରିବାକୁ
ମୁଁ ଦିନ ତମାମ୍ ଖାଡ଼େଖାଡ଼େ
ନିର୍ଜଳା ଉପବାସ ରହି ପାଳିବି ବ୍ରତ।
ଓଃ...ପୁଣି ଗୋଟାଏ ବର୍ଷର ଜୀବନ
ନବୀକରଣ ପାଇଁ ଯମଙ୍କୁ କରିବ ଗୁହାରୀ...
ହସି ଦେଇ ମୁରୁକି ଧରାଇ ଦେଇ
ଫି ବରଷ ପରି ଗୋଟେ ଲମ୍ଵା ତାଲିକା
କହିଲା ପୁଣି ମୋ ଶ୍ରୀମତୀ...ହଁ... ହଁ...
ଶିଘ୍ର ଯାଅ...ଲକ୍ ଡାଉନ୍ ମନେ ଅଛିଟି
ବହୁତ ଭିଡ଼ ହେବ...ସବୁ କିଣି...
ଜଲଦି ଜଲଦି ଘରକୁ ଫେରି ଆସିବ।
ହାକିମଙ୍କ ହୁକୁମ ମାନିଲା ପରି ବଜାର ଯାଇ
ତାଲିକା ଅନୁସାରେ ଆଣିଲି ସବୁ
ଗୋଟି ଗୋଟି କରି ବ୍ୟାଗରେ ପୁରାଇ
ପକେଟରେ ଥିଲା ଚାରି ହଜାର
କିଣାକିଣି କରି ସାରିଲା ବେଳକୁ ଦେଖିଲି
ବଳିଛି ସେଇଥିରୁ କୋଡ଼ିଏ ଟଙ୍କା ମାତ୍ର।
ସବୁ ନେଇ ଥୋଇ ଦେଲି ଶ୍ରୀମତୀ ଆଗରେ
ବ୍ୟାଗ୍ ଖୋଲି ତରବର ଶାଢୀଟିକୁ
ଦେଖିଲା ପ୍ୟାକିଙ୍ଗ୍ ଖୋଲି
ଦାମ୍ ଉପରେ ବୋଧହୁଏ ପଡିଲା ନଜର
କହିଲା ମୁହଁ ମୋଡ଼ି...ହୁଁ, ଏଇଟା ଖଣ୍ଡେ ଶାଢୀ...
ଏତେ କମ୍ ଦାମ୍...ପୁଣି ପିନ୍ଧିବି ମୁଁ...
ପିନ୍ଧ ତୁମେ କହି ଫିଙ୍ଗି ଦେଲା ମୋ ଉପରକୁ
ବୁଝି ପାରିଲିନି ହେଲା କଣ...
ହେତୁ କୁ ଆସିଲା... ଓ, ଦୁଇ ହଜାର ପାଞ୍ଚଶହ
ଦାମ୍ ଟା ତାକୁ ଦେଇଛି ଝଟ୍ କା
ଫେରିଗଲି ମୁଁ ତଟକା ତଟକା ବାକି ରଖି
ବଦଳେଇ ଆଣିଲି ଆଉ ଗୋଟେ ଶାଢୀ
ଦେଖି ଶ୍ରୀମତୀ କହିଲା...ବାଃ, ମନଲାଖି ଏଥର
ଆଣିଛ ଖଣ୍ଡିଏ ଶାଢୀ ବାଛି...ଉୱା...
କେତେ ନେଇଛି...ପାଞ୍ଚ ହଜାର...
ଭାରି ସୁନ୍ଦର ଲାଗୁଛି...ତୁମ ଚଏସ୍ ବଢିଆ,
ମୁଁ ମନେ ମନେ ଭାବୁଥିଲି...ସତରେ
ଶାଢୀର ସୁନ୍ଦରତା ଅଛି ଡିଜାଇନ୍ ରେ
ନା ମୋଟା ଅଙ୍କର ଦାମରେ...
ମହଙ୍ଗା ଯୁଗରେ ଘର ଚଳେଇବା କି କଷ୍ଟ
ସାବିତ୍ରୀ ବ୍ରତ ପାଳିବାର ଏ ପ୍ରହସନରେ
ଆୟୁଷ ବଢିବ କଣ...ଏମିତି ସ୍ତ୍ରୀ ଥିଲେ
ଆୟୁଷ କମି କମି ଯିବ...ଯମରାଜ ବି
ବୁଝି ଯିବେ ସ୍ଵାମୀ ପାଇଁ ଭକ୍ତି ନାହିଁ
ଭାବ କେବଳ ସଜାଇ ହେବାରେ...
ଅନ୍ତତଃ ସ୍ତ୍ରୀଟା ବୁଝିବା ଦରକାର ଏ ସଜ
ଶାଢୀ ଚୁଡି ଗହଣା କାହା ପାଇଁ କାହା ପାଇଁ ?
ନ ଥିଲେ ମନରେ ଭାବ ଭକ୍ତି ଏହାର କି ମୂଲ୍ୟ
ବର୍ଷକୁ ବର୍ଷ ପାଳିବାରେ ଏ ସାବିତ୍ରୀ ବ୍ରତ ?