ମୋ ସ୍ମୃତି, ଅମୂଲ୍ୟ ସମ୍ପଦ
ମୋ ସ୍ମୃତି, ଅମୂଲ୍ୟ ସମ୍ପଦ
ପିଲାଦିନର ଆବେଗ ପୂର୍ଣ୍ଣ ମଧୁର ସ୍ମୃତି ପୁଣି
ଅନୁଭୂତି ଉଙ୍କି ଆସୁଛି ମନ ମନ୍ଦିରରେ
ଗାଁ ଦାଣ୍ଡେ ଲୁଚକାଳି ଖେଳ ସଞ୍ଜର ଅପରୂପା
ଜହ୍ନ ହାତଠାରି ଡାକେ ଚାଲି ଆସ ଧୀରେ ।୧।
ଗଛ ଚଢା ନଈ ବୁଲା ପିଲା ବେଳର
ସରଳତାରେ ସେଇ କିତି କିତି ଡ଼ାକ
ସାଥୀମାନଙ୍କ ସହ ଖପରାରେ ବଣ ଭୋଜି
ଖାଇବାକୁ ମନ ହୁଏ ସକ ସକ ।୨।
ସମାଜରେ ଜାରି ରହିଥିବା ଜାତି ଧର୍ମ ନାମରେ
ସମସ୍ତ ବାଧାବିଘ୍ନ ଭାବନାକୁ ଏଡେଇ
ମନେ ପଡେ ପିଲାଦିନେ କିପରି ଗାଁର ସେଇ ସ୍ୱଛ
ପୁଷ୍କରିଣୀ ଜଳରେ ରହୁଥିଲୁ ଦେହକୁ ଭିଜେଇ ।୩।
ସପନର ଇନ୍ଦ୍ରଧନୁର ସପ୍ତରଙ୍ଗ ନେଇ ଖେଳୁଥିବା
ବାଲି ମାଟି ସହ ସେହି ମହାର୍ଘ୍ୟ ମୁହୂର୍ତ୍ତକୁ
ଆନନ୍ଦ ଅନନ୍ତ ଅବ୍ୟକ୍ତ ସମୟ ସହ ସମୟର ଗତି
ଧାରାରେ ଖୋଜେ ସେଇ କଥା ହଜିଲା ଦିନକୁ।୪।
କିଛି ସମୟ ପାଇଁ ଚାଲ ଆଜି ଯିବା ତାକୁ ଅନୁସରି
ସଂସାରର ଏବେର ସବୁ କାମନାକୁ ଘୋଡେଇ
ଶିଖି ଆସିବା ସେ ଅନୁଭୂତିରୁ ସେ ଅନନ୍ୟ ପ୍ରୀତି ତେଣୁ
ଏବେ ବାନ୍ଧିଛି ମନକୁ ସେ ଚେତନା ସାଥେ ରହି।୫।