ମୋ ସ୍ବପ୍ନର ଘର
ମୋ ସ୍ବପ୍ନର ଘର
ଯେ ଭୂଇଁର ପ୍ରଥମ ପରଶେ,
ଦେହ, ମନ, ପ୍ରାଣ
ଭରିଯାଏ ଶାଶ୍ବତ ପ୍ରେମର -
ଏକ ଦିବ୍ୟ ମହକରେ,
ଉଲ୍ଲସି ଉଠଇ ଆତ୍ମା
ଆତ୍ମୀୟତା ଫଲଗୁ ଧାରାରେ,
ସେହି ହିଁ ତ ଘର,
ନିହାତି ନିଜର।
ଯେ ଭୂଇଁର ଆକର୍ଷଣ
ରକ୍ତର ଆକର୍ଷଣ ଭଳି,
ନିଃଶ୍ବାସ ହାଓ୍ବାରେ ଯହିଁ
ଥିରି ଥିରି ଦୋଳୁଥିବ
ବିଶ୍ବାସର ସୂର୍ଯ୍ୟମୁଖୀ,
ଭରସାର କୁମୁଦିନୀ -
ଉବୁଟୁବୁ ହେଉଥିବ
ଦୂର ଚାନ୍ଦ - ପ୍ରୀତିର ବନ୍ଯାରେ_
ସେହି ହିଁ ତ ଘର,
ଅତି ଆପଣାର।
ସ୍ବାଧୀନତା ଯେଉଁଠାରେ
ଶୃଙ୍ଖଳରୁ ମୁକ୍ତ,
ବନ୍ଧନୁ ମୁକ୍ତ ଯେଉଁଠି
ହସିବା ଓ କାନ୍ଦିବାର-
ଆବେଗ ମୁହୂର୍ତ୍ତ,
ଶାଗ କଣିକାରେ ଯହିଁ
ତୋଷ ହୁଏ
ଶ୍ରାନ୍ତ, କ୍ଷୁଧାର୍ତ୍ତ,
ସେହି ହିଁ ତ ଘର,
ମର୍ତ୍ତ୍ୟେ ସ୍ବର୍ଗପୁର,
କାମନାର କର୍ମଭୂମି,
ସେଇ ପୁଣି ନିର୍ବାଣର-
ଅନ୍ତିମ ଦୁଆର।
