STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ମୋ ସ୍ୱପ୍ନର କାଗଜ ଡଙ୍ଗା

ମୋ ସ୍ୱପ୍ନର କାଗଜ ଡଙ୍ଗା

1 min
411

କେବେ ଓଳି ତଳେ ଭସାଇ ଦେଖିଛ 

ନିଜ ସ୍ୱପ୍ନର କାଗଜ ଡଙ୍ଗା ଅତି କୌତୁହଳେ

ଯେବେ ନାଚି ନାଚି ଝୁମି ଝୁମି ଯାଏ ଭାସି ଦୁରେ

କେବେ ସୁଅ ମୁହଁରେ ପତର ପରି

କେବେ ସୁଅ କଟା ପଥର ପରି

କେବେ ଅନାୟାସେ ଭାସିଯାଏ ଅଥଳ ଜଳରେ

କେବେ ଓଲଟି ସଳଖି ଯାଏ ନିଜ ଉଦ୍ୟମରେ

କେବେ ଅଟକିଯାଏ ପଥଧାର ସଂକୀର୍ଣ୍ଣ ମୋଡ଼ରେ

କେବେ ଖଣ୍ଡେ ଦୁରେ ପଡ଼େ ଯାଇ ପ୍ରଚଣ୍ଡ ଧକ୍କାରେ

କିନ୍ତୁ ନିଜକୁ ସେ ସମର୍ପି ଦେଇ ସ୍ରୋତଧାରା ପାଶେ

ଅଲକ୍ଷ୍ୟ ଗନ୍ତବ୍ୟ ଦିଗେ ଭାସି ଚାଲେ ଅବିଚଳେ । 


ସ୍ୱପ୍ନ ଯେବେ ଅଡିବସେ ଜୀବନ ପାଖରେ

ସ୍ବାଧୀନତା ମାଗିବସେ କରିବାକୁ ପଥ ନିର୍ବାଚନ

ଭାଙ୍ଗିଦେଇ ଜୀବନର ଲେଖା ଯେତେ ନିୟମ ଶୃଙ୍ଖଳ,

ଜୀବନ ଓଗାଳେ ପଥ ସ୍ବେଚ୍ଛାଚାରୀ ବୃଥା ସପନର

ମାପି ବସେ ଲକ୍ଷ୍ୟ ପ୍ରତି ତାର ସମର୍ପଣ

କିମ୍ବା ଆଗକୁ ଯିବାକୁ ତାର ଅଦମ୍ୟ ନିଷ୍ଠାର

ପରଖି ସେ ବାଟଛାଡ଼େ ହେଉ ସେ କାଗଜ ଡଙ୍ଗା

ଅବା କେଉଁ ସୁବିଶାଳ ବଣିଜ ଜାହାଜ

ଅଭିବାଦନ କରିବସେ ସେ ନିବିଷ୍ଟ ସ୍ୱପ୍ନର

ଯେ ଯାତ୍ରାପଥ ଶେଷ ଯାଏଁ ରହେ ଅବିଚଳ । 


କିଛି ସ୍ୱପ୍ନ ଭାଙ୍ଗିଯାଏ ଝଡ଼ ବର୍ଷା ତୀବ୍ର ଆଘାତରେ

ଛିଡ଼ିଯାଏ ପଥଧାର ଶାଣଦିଆ ତୀକ୍ଷ୍ଣ କଙ୍କରରେ 

କିମ୍ବା ବୁଡ଼ିଯାଏ ଖରସ୍ରୋତର ପ୍ରଖର ପ୍ରହାରେ

ସମୟର ଅଗଣିତ ମୁହୂର୍ତ୍ତର ଶାବାଗାର ମଧ୍ୟେ

ହଜିଯାଏ ତା କବର ବିସ୍ମୃତିର ବିଲୁପ୍ତ କୋଣରେ । 


ତଥାପି ମୁଁ ଭସାଇବା ଛାଡିନାହିଁ କେବେ

ମୋ ସ୍ୱପ୍ନର କାଗଜ ଡଙ୍ଗା 

ହେଉ କେଉଁ କ୍ଷୀଣ ଜଳଧାରା

ଅବା କେଉଁ ନଦୀ କିମ୍ବା ସାଗରର ପ୍ରଶସ୍ତ ଛାତିରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational