ମୋ ସ୍ୱପ୍ନର କାଗଜ ଡଙ୍ଗା
ମୋ ସ୍ୱପ୍ନର କାଗଜ ଡଙ୍ଗା
କେବେ ଓଳି ତଳେ ଭସାଇ ଦେଖିଛ
ନିଜ ସ୍ୱପ୍ନର କାଗଜ ଡଙ୍ଗା ଅତି କୌତୁହଳେ
ଯେବେ ନାଚି ନାଚି ଝୁମି ଝୁମି ଯାଏ ଭାସି ଦୁରେ
କେବେ ସୁଅ ମୁହଁରେ ପତର ପରି
କେବେ ସୁଅ କଟା ପଥର ପରି
କେବେ ଅନାୟାସେ ଭାସିଯାଏ ଅଥଳ ଜଳରେ
କେବେ ଓଲଟି ସଳଖି ଯାଏ ନିଜ ଉଦ୍ୟମରେ
କେବେ ଅଟକିଯାଏ ପଥଧାର ସଂକୀର୍ଣ୍ଣ ମୋଡ଼ରେ
କେବେ ଖଣ୍ଡେ ଦୁରେ ପଡ଼େ ଯାଇ ପ୍ରଚଣ୍ଡ ଧକ୍କାରେ
କିନ୍ତୁ ନିଜକୁ ସେ ସମର୍ପି ଦେଇ ସ୍ରୋତଧାରା ପାଶେ
ଅଲକ୍ଷ୍ୟ ଗନ୍ତବ୍ୟ ଦିଗେ ଭାସି ଚାଲେ ଅବିଚଳେ ।
ସ୍ୱପ୍ନ ଯେବେ ଅଡିବସେ ଜୀବନ ପାଖରେ
ସ୍ବାଧୀନତା ମାଗିବସେ କରିବାକୁ ପଥ ନିର୍ବାଚନ
ଭାଙ୍ଗିଦେଇ ଜୀବନର ଲେଖା ଯେତେ ନିୟମ ଶୃଙ୍ଖଳ,
ଜୀବନ ଓଗାଳେ ପଥ ସ୍ବେଚ୍ଛାଚାରୀ ବୃଥା ସପନର
ମାପି ବସେ ଲକ୍ଷ୍ୟ ପ୍ରତି ତାର ସମର୍ପଣ
କିମ୍ବା ଆଗକୁ ଯିବାକୁ ତାର ଅଦମ୍ୟ ନିଷ୍ଠାର
ପରଖି ସେ ବାଟଛାଡ଼େ ହେଉ ସେ କାଗଜ ଡଙ୍ଗା
ଅବା କେଉଁ ସୁବିଶାଳ ବଣିଜ ଜାହାଜ
ଅଭିବାଦନ କରିବସେ ସେ ନିବିଷ୍ଟ ସ୍ୱପ୍ନର
ଯେ ଯାତ୍ରାପଥ ଶେଷ ଯାଏଁ ରହେ ଅବିଚଳ ।
କିଛି ସ୍ୱପ୍ନ ଭାଙ୍ଗିଯାଏ ଝଡ଼ ବର୍ଷା ତୀବ୍ର ଆଘାତରେ
ଛିଡ଼ିଯାଏ ପଥଧାର ଶାଣଦିଆ ତୀକ୍ଷ୍ଣ କଙ୍କରରେ
କିମ୍ବା ବୁଡ଼ିଯାଏ ଖରସ୍ରୋତର ପ୍ରଖର ପ୍ରହାରେ
ସମୟର ଅଗଣିତ ମୁହୂର୍ତ୍ତର ଶାବାଗାର ମଧ୍ୟେ
ହଜିଯାଏ ତା କବର ବିସ୍ମୃତିର ବିଲୁପ୍ତ କୋଣରେ ।
ତଥାପି ମୁଁ ଭସାଇବା ଛାଡିନାହିଁ କେବେ
ମୋ ସ୍ୱପ୍ନର କାଗଜ ଡଙ୍ଗା
ହେଉ କେଉଁ କ୍ଷୀଣ ଜଳଧାରା
ଅବା କେଉଁ ନଦୀ କିମ୍ବା ସାଗରର ପ୍ରଶସ୍ତ ଛାତିରେ ।