ମୋ"ମାଆ
ମୋ"ମାଆ


ମାଆର ମମତା କିଏସେ ଦେବ ହୋ
ମମତାର କାହିଁ ମୂଲ
ଏମିତି କେ ଅଛି ସଂସାର ଭିତରେ
ହେବ ମୋ"ମାଆର ତୁଲ ।
ମାଆ ନାହିଁ ଯାର ଦୁନିଆଁରେ ତାର
ସାହା ବୋଲି କେହିନାହିଁ
ମାଆର ମମତା ମାଆର ସେନେହ
ଆଉ କେ ପାରିବ ଦେଇ ।
ତା' ଆଖିରେ ମୁହିଁ ଅନ୍ଧର ଲଉଡ଼ି
ହୁଏପଛେ ଚୋର ଖଣ୍ଟ
ତା'ପଣତ କାନି ମଥାରେ ମୋହର
ଢ଼ାଙ୍କିଥାଏ ଯେହ୍ନେ ଘଣ୍ଟ ।
ଧୂଳି ଝାଡ଼ିଦେଇ ମୁହଁ ପୋଛିଦେଇ
ଖାଇବାକୁ ଦିଏ ଭାତ
ବଳେଇ ବଳେଇ ଦିଏସେ ଖୁଆଇ
ପିଠିରେ ପକାଇ ହାତ ।
ଅଝଟ ହୋଇଲେ କହୁଥାଏ ମୋତେ
ବାଇଆକୁ ବିକି ଦେବି
ନିଦେ ନ'ଶୋଇଲେ ମିଛେକହେ କାଲି
ଯାତରା ଦେଖେଇ ନେବି ।
ରୋଗ ବଇରାଗେ ଜଗି ବସିଥାଏ
ହୋଇ ରାତି ଉଜାଗର
କେମିତି ଭୁଲିବି ମାଆର ମମତା
ମୁଁ"କି ଏଡ଼େ ସ୍ୱାର୍ଥପର ।