ମୋ ମାଆ
ମୋ ମାଆ
ହାତ ଧରି ତୋର ଚାଲି ଶାଖିଥିଲି
ଝୁଣ୍ଟିବାକୁ ଦେଇନାହୁଁ ,
ଜୀବନର ଏଇ ଅଙ୍କା ବଙ୍କା ରାସ୍ତା
ହାତ କେବେ ଛାଡିନାହୁଁ ,
ପଡିଗଲେ ମୁହିଁ କଷ୍ଟ ହୁଏ ତୋତେ
ପଣତରେ ଝାଡି ଦେଉ ,
ମୋ ଆଖିରୁ ଯେବେ ଝରିଯାଏ ଲୁହ
ତୋ ଆଖିରୁ ଝରେ ଲହୁ ।
ତୋ ଡାକରେ ଯେଉଁ ମଧୁରତା ଥାଏ
ଆନ କାହିଁ ମିଳେ ନାହିଁ ,
ମମତାର ସେଇ ମଧୁର ସ୍ପର୍ଶକୁ
ମନ ନିତି ଝୁରୁଥାଇ ।
ସରଗ ତ ଅଛି ତୋ ପଣତ ତଳେ
ତା ଠାରୁ ବଡ କେ ନାହିଁ ,
ନିଜ ସୁଖ ପାଇଁ କେବେ ଚିନ୍ତା ନାହିଁ
ଜଳିଯାଉ ଅନ୍ଯ ପାଇଁ ।
ସୁଖ ପାଇଁ ମୋର ଲଢିଥାଉ ତୁହି
ଛାତିକୁ କରି ପଥର ,
ଦୁଃଖରେ ମୋହର ସାଥି ହେଇଥାଉ
ନିଜ ଦୁଃଖ କରି ପର ।
ମନ ମୋର ଆଜି ଝୁରୁଛି ତୋ ପାଇଁ
କେବେ ତୁ ଆସିବୁ ଫେରି ,
ତୋହରି କୋଳରେ ମଥା ରଖି ଥରେ
ଶୋଇବି ମୁଁ ମନ ଭରି ।
କି ଲେଖିବି ଆଉ ତୋ ପାଇଁ ଜନନୀ
ତୋ ପାଇଁ ଅଭାବ ଭାଷା ,
ଚିର ଦିନ ପାଇଁ ଭରସା ତୁ ମୋର
ତୁ ମୋର ଜୀବନ ଆଶା ।
