ମୋ ମାଆ ମୋ ଗାଆଁ
ମୋ ମାଆ ମୋ ଗାଆଁ
ମମତାରେ ଭରା ଏ ଦୁନିଆଁ ସାରା
ମାଆର ଗାଆଁର ମମତା ନିଆରା
ଭୁଲି କେ ପାରିନି ଭୁଲି ପାରିବନି
ଯେଉଁଠି ଥିଲେ ବି ସ୍ମୃତି ରୂପେ ଘେନି
ଗୁମୁରେ ମନରେ ଆନନ୍ଦ ଇଶାରା ।
ହେଉ ମାତା ଖଳ ଅବା ଶାନ୍ତଶିଳ
ସନ୍ତାନ ପାଇଁ ତା ମମତା ଅପାର
ନ ଥାଉ ଗାଆଁକୁ ରାସ୍ତା କିବା ଘାଟ
ଘେରି ରହୁଥାଉ କାଂଶି ବେଣା ପାଟ
ଯେ ଜନ୍ମେ ତା କୋଳେ ତା ପାଇଁ ସୁନ୍ଦର ।
ପିୟୁସର ଧାରା ମାଆ ବକ୍ଷୁ ପରା
ଦେଇ ଗଢ଼ଇ ସେ ଆନନ୍ଦେ ବିଭୋରା
ଗାଆଁ ଦାଣ୍ଡ ଧୂଳି ସାଥେ କେତେ ଖେଳି
ତା ବଣ ତୋଟାରୁ ତୋଳି କେତେ କୋଳି
ବୋହୂ ଚୋରି ଖେଳ କେତେ ଆସରା ।
ଠୁକୁ ଠୁକୁ ଚାଲି ମାଆ ହାତ ଧରି
କେତେ ଯାତ ତିଥ ନିଏ ସାଥୀ କରି
ସଞ୍ଜରେ ମୋ ଗାଆଁ ଗୋଗୋଠ ଗୋଧୂଳି
ସନ୍ଧ୍ୟା ଆଳତିର ଘଣ୍ଟ ଓ କାହାଳୀ
ଶବଦ ଆଜି ବି ପାରୁନାହିଁ ଭୁଲି ।
ପୁନିଅଁ ପରବେ ଅରୁଆ କାନକା
ନାନା ପିଠା ପଣା ମାଆ ହାତୁ ସେକା
ଦୋଳ ପୁନେଇଁରେ ବିମାନ ଯାତରା
ରଜ ଦୋଳି ଝୁଲା କରଇ ବାଉଳା
ହୋଲି ପିଚକାରୀ ଆନନ୍ଦେ ଛନକା ।
କିଏ ବା ସହିଛି ଗାଆଁ ମାଆ ନିନ୍ଦା
ଶେଷ ରକ୍ତ ଯାଏ ଯା ପଣତେ ବନ୍ଧା
ଯିଏ ବା ଭୁଲିଛି ଦାନବରେ ଗଣା
ମଣିଷ ସମାଜେ ନିତି ପାଏ ଘୃଣା
ସଦା ପାଉଥାଏ ସେହୁ ଅପନିନ୍ଦା ।
ଗାଆଁ ମାଆ ଠାରୁ ରୁହ ଯେତେ ଦୁରେ
ଭୂଳିକେ ପାରିଛି ହୃଦକୁ ପଚାରେ ?
ବିତ୍ତ ଲୋଭେ କିବା କାହା ସ୍ନେହ ଡୋରେ
ବାନ୍ଧି ରଖି ଥାଉ ଜୀବନ କବଳେ
ଗାଆଁ ଓ ମାଆକୁ ସଦା ମନ ଝୁରେ ।