କୃପାକର ଜଗନ୍ନାଥ
କୃପାକର ଜଗନ୍ନାଥ
ନୀଳ ନୀଳିମାକୁ ଜିଣେ ଦୁଇ ଆଖି
ତୁମେ ମୋ ଆଖିର ତାରା
ଦେଖିଦେଲେ ଥରେ କଳା ଶ୍ରୀମୁଖକୁ
ମିଳଇ ଆଶା ସାହାରା
ଚାହିଁ ନୀଳଚକ୍ର ବାନା
ଉଦ୍ଧରେ ଜୀବନ ସ°ସାର ସାଗରୁ
ପତିତପାବନ ନାଆଁ ।
ବସିଛ ମଉନେ ଦାରୁଭୂତ ହୋଇ
ନାହିଁ ହାତ ଗୋଡ କାନ
କୁହ ପ୍ରାଣନାଥ ଆହେ ଜଗନ୍ନାଥ
କାହିଁକି ଦୁଃଖ ଦୁର୍ଦ୍ଦିନ
କୁହ କେତେଦିନ ଆଉ
ରୋଗ ମହାମାରୀ କଷ୍ଟ ଦୁର୍ବିପାକ
ସାଧି ଚାଲିଥିବ ଦାଉ ।
ଜାତି ନନ୍ଦିଘୋଷ
ପ୍ରଗତି ପଥରେ
ଖାଲି ଖାଲ ଖମା ଗାଢ଼
ଘୋଟିଯାଏ ଅମା ଅନ୍ଧାର ରଜନୀ
ଗଣନ୍ତି ସାଧୁ ପ୍ରମାଦ
ବାମନ ମଧୁସୂଦନ
ଅବତର ନାଥ ଉଦ୍ଧର ଜଗତ
ହସ୍ତେ ଧରି ସୁଦର୍ଶନ ।
ପୂର୍ବ ନୀଳାଚଳ ଉଦୟ ଅରୁଣ
ମହକ ଶ୍ରୀପୁରୁଷୋତ୍ତମ
ଜୀବନ ସୁଲଭୁ କୈବଲ୍ୟ ମୁକତି
ଉନ୍ମେଷୁ ସତ୍ୟ ପରମ
ଜୀବନ ହେଉ ସାର୍ଥକ
ଲାଭ କରୁ ପ୍ରାଣ ପରମ ଆନନ୍ଦ
କୃପାକର ଜଗନ୍ନାଥ ।