ମୋ ଲେଖା ପଛର ପ୍ରେରଣା
ମୋ ଲେଖା ପଛର ପ୍ରେରଣା
ଦୁଃଖ-ସୁଖ, ଆଶା-ନିରାଶା, ପ୍ରାପତି-
ଅପ୍ରାପ୍ତିର ଦୋଛକିରେ ,
ଜୀବନ ସଡକ ଲମ୍ବି ଲମ୍ବି ଯାଏ
ସମୟର ସାହାରାରେ ।
ହସ-କାନ୍ଦ ଆଉ ବିରହ-ମିଳନ
ଉତ୍ଥାନ-ପତନ ମାନ,
ଜୀବନ ମୁଦ୍ରାର ବିପରୀତ ପାର୍ଶ୍ଵ-
ପରି ଏକ ସାଥେ ଆନ।
ଦୁଃଖ-ଝଡ ଯେବେ କାଳ ରୂପୀ ହୋଇ
ହରିନିଏ ସୁଖ ଶାନ୍ତି,
ଜୀବନଟା ଲାଗେ ନିରସ ନିସ୍ତେଜ
ମନେ ଭରି ଭୟ ଭ୍ରାନ୍ତି ।
ପ୍ରେରଣାର ଆସ୍ଥା, ନିରାଶ ଜୀବନେ
ଆଶା ବୀଜ ବୁଣି ଦିଏ,
ଆମ ଅନ୍ଧକାର ଦୁରେଇ ନୂତନ
ସୂରୁଯ ମନରେ ଉଏଁ ।
କରୋନା କାଳରେ ସଙ୍ଗରୋଧ ଆଉ
ଏକାନ୍ତବାସର ବେଳେ ,
ଅସହାୟତା ଓ ନିରାଶରେ ମନ
ଦିହୁଡ଼ି ଜଳିବା ବେଳେ।
ମନ ଗହନର ଅତିନ୍ଦ୍ରିୟତାରୁ
ପ୍ରଜ୍ଞା ଉଠିଗଲେ ଚେଇଁ,
ଭାବନାରେ କେତେ ଭାଷାନ୍ତର ଆସି
ଗୀତ ଗଲା ଲେଖିହୋଇ ।
ପ୍ରକୃତି ସୁଷମା କେତେ ମନଲୋଭା
ତା ରଙ୍ଗେ ରଙ୍ଗେଇ ହୋଇ ,
ସୁପ୍ତ ଚେତନାରେ କବିତାର ଭାଷା
ଅଚିରେ ଉଠିଲା ଚେଇଁ।
ଭୂତାଣୁ ସଙ୍କଟ, ଏକାନ୍ତ ବାସ ଓ
ସଙ୍ଗରୋଧର ଜୀବନ,
ମୋ ଲେଖା ପାଛର ପ୍ରମୁଖ ପ୍ରେରଣା
କହୁଥିବି ଆଜୀବନ।
