STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମୋ କବିତା ବି ମାଆ

ମୋ କବିତା ବି ମାଆ

1 min
376


ଆଖି ଲାଖିଗଲା ମନ ମାନିଗଲା

   ଜୀବ ଧନ୍ୟ ହୋଇଗଲା,

ଯେବେ ଏଇ ଆଖି ସକାଳୁ ସକାଳୁ

    ମୋବାଇଲ୍‌ ଦେଖିଦେଲା।


ମାଆ ଶୀର୍ଷକର ଖାଲି କବିତାରେ

    ମୋବାଇଲ ପରିପୂର୍ଣ୍ଣ,

ଆଜି ପରା ମାତୃ ଦିବସଟି ବୋଲି

     ହୋଇଗଲି କନ‌ଫର୍ମ।


କିଏ ଲେଖିଛନ୍ତି ମାଆ କି ଜନନୀ

     କିଏ ଲେଖିଛନ୍ତି ବୋଉ,

ବିଭିନ୍ନ ରୂପରେ ମାଆର ବର୍ଣ୍ଣନା

    କରିଛନ୍ତି ଯେତେ ଆଉ।


ଯାହା ହେଉ ଭାଇ ଏତେ ଦିନ ପରେ

    ମୋ ଦେଶ ଆଗେଇଲାଣି,

'ମାଆ' ଶବ୍ଦଟିରେ ବହୁ ତତ୍ତ୍ୱ ଅଛି

    ଲୋକେ ତାକୁ ବୁଝିଲେଣି।


ଭଳିଭଳି ଭକ୍ତ କେତେ ପ୍ରଣିପାତ

    ମାଆଙ୍କୁ ଜଣାଇଛନ୍ତି,

ମୋ ମନରେ କିନ୍ତୁ ଅନେକ ଭାବନା

    ମୋତେ ପ୍ରଶ୍ନ କରୁଛନ୍ତି।  


ଆଜି ଦିନ ବୋଲି ମାଆମାନଙ୍କୁ କି

   ଶୁଭେଚ୍ଛା ଜଣା ହେଉଛି,

ନା, ସବୁଦିନେ କିଏ ମାଆଙ୍କ ଚରଣ

    ନିଜ ଘରେ ପୂଜୁଅଛି ।


ଏତିକି ଜାଣିଛି ଏମିତିକା କବି

    ଜଣେ କେହି ଏଠି ନାହିଁ,

"ମାଆ" କବିତାକୁ କଲମ ମୁନରେ

    ଜମା ସ୍ଥାନ ଦେଇ ନାହିଁ।


ମାତୃ ଦିବସରେ କବିତାଟି ଲେଖି

    ଦାୟୀତ୍ବ ସରେଇ ଦେଇ,

କବି ଯଦି ଖୁସି ହୋଇପାରେ ଏଠି

    ମୋର କହିବାର ନାହିଁ।


ମମତା ଦିବସେ ମମତା ପ୍ରଦାନ

    ପ୍ରେମ ଦିବସରେ ପ୍ରେମ,

ଅନ୍ଯ ଦିବସରେ ସେ ମାଆ ଜାତିକୁ

    ଦିଆଯାଏ ଏଠି ନାମ।


ମାଆ ଆଜି ମାଆ ହେଉଛି ଅବେଳେ

    କୁହ କିଏ ଏଠି ଦାୟୀ,

ଫାଙ୍କା ବିଶ୍ଳେଷଣ ମାଆର ବର୍ଣ୍ଣନ

    ଆଚରଣେ ଯାହା ନାହିଁ।


ସେଇ କଥା ମୁହିଁ କହୁଛି ଏଠାରେ

    ସବୁ ମାଆ ଅଭାଗିନୀ,

ମଣିଷ ପାଖରୁ ପଶୁପକ୍ଷୀ ଯାଏ

    ମାଆ ସନ୍ତାନ ରଙ୍କୁଣୀ।


ମାଆ କୁକୁର କି ମାଆ କୁକୁଡାକୁ

   ଦେଖିଥିବେ ନିଶ୍ଚେ ଭାଇ,

ଦାନାଟି‌ ପାଇଲେ ଛୁଆଙ୍କ ପାଟିରେ‌

    ଭରୁଥାଏ କାହିଁ ପାଇଁ ।


ଶତ୍ରୁଟି ଦେଖିଲେ ନିଜ ଜୀବନକୁ

    ତୁଚ୍ଛ କରି ଦେଇଥାଏ,

ଆବଶ୍ୟକ ସ୍ଥଳେ ସନ୍ତାନ ପାଇଁକି

    ପ୍ରାଣ ବଳି ଦେଇଥାଏ।


ଖାଲି ମଣିଷର ମାଆର ସୁରକ୍ଷା 

    ଆମେ କରିପାରୁ ନାହୁଁ,

ଗୋ ମାତା ପାଖରୁ ଧରିତ୍ରୀ ପର୍ଯ୍ଯନ୍ତେ‌

    କେମିତି ବୁଝିବା ଭାଇ ।


ପଶୁ ହେଉ କିମ୍ବା ମଣିଷ ମାଆର

     ବାତ୍ସଲ୍ୟ ଅଟେ ସମାନ,

କୁକୁର ମାଙ୍କଡ଼ ଦାନ୍ତେ ବିଷ ଥାଏ 

     କ୍ଷୀରଟି ଅମୃତ ସମ।


ମଣିଷର କ୍ଷୀର ପଶୁ ଖାଇପାରେ‌

     ପଶୁ କ୍ଷୀରକୁ ମଣିଷ,

ଯା'ଦ୍ଵାରା କେବଳ ଛୁଆ ହୃଷ୍ଟ‌ ହୁଏ

      କ୍ଷୀରରେ ନ ଥାଏ ବିଷ।


ମାଆ ଦୁଧ ମୂଲ କେହି ସୁଝି‌ନାହିଁ

      ସୁଝି‌ ବି ପାରିବେ ନାହିଁ,

ତା' ପାଇଁ ପଦେ ମିଠା କଥା ଲୋଡ଼ା

      ଆଉ କିଛି ଖୋଜେ ନାହିଁ।


ମାତୃ ଦିବସର ଏ ଶୁଭ ବେଳାରେ

      କେବଳ ମଣିଷ ନୁହଁ,

ପଶୁ ପକ୍ଷୀଠାରୁ ସମସ୍ତ ମାଆଙ୍କୁ

      ପାରୁଛ ସୁରକ୍ଷା ଦିଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy