ମୋ ଜନ୍ମ ମାଟି ଢେଙ୍କାନାଳ
ମୋ ଜନ୍ମ ମାଟି ଢେଙ୍କାନାଳ
ଗୌରବୋଜ୍ୱଳ ଢେଙ୍କାନାଳ ଟାଉନ ମାଟିରେ
ଜନମ ଏନ୍ତୁଡ଼ି ଜଳିଥିଲା ଦିନେ ମୋର
ମୋ ଗାଆଁ ପବିତ୍ର, ତା ଛାତିରେ ପାଦ ଦେଇ
ଶିଖିଛି ସବୁ, ସେ ତ ମୋ ସରଗ ପୁର ।
ତା ପାଣି ପବନ ପାହାଡ଼ ଝରଣା ନଦ ନଦୀ ତା
ମନ୍ଦିର ମୋ କଣ୍ଠରେ ଭରିଛି ଗୀତ
ଭୁଲିପାରିବିନି ମୋର ଜୀବନରେ 1465 ପାହାଚ
ଚଢ଼ିକରି ଯିବା କପିଳାସ ପର୍ବତ ।
ବହୁ କଥା ଶୁଣିଛି ଜୀବନେ ଢେଙ୍କାନାଳ ସହର
ଠାରୁ 26 କି.ମି. ଦୂର କପିଳାସ ବାବଦରେ
ଶିବଙ୍କର ଦ୍ୱିତୀୟ କୈଳାସ କହନ୍ତି କପିଳାସକୁ
ଓ ଦେବତା ମାନେ ସଭା କରନ୍ତି ଏଠାରେ ।
କପିଳ ମୁନିଙ୍କ ଆଶ୍ରମ ଥିଲା କପିଳଙ୍କ ଉଆସ
ଏ ପର୍ବତକୁ କୁହାଯାଏ କପିଳାସ
ଏଠି ଶ୍ରୀରାମଚନ୍ଦ୍ରଙ୍କ ତ୍ୟାଗ ପରେ ସୀତା, ଲବ ଓ କୁଶଙ୍କ
ସହ ବାଲ୍ମୀକି ଆଶ୍ରମରେ ରହୁଥିଲେ, ବିଶ୍ୱାସ ।
ଶୁଣିଛି, ଅଜାଣତରେ ମୟୁରଭଞ୍ଜର ରାଜା ପ୍ରତାପ
ଦେବ ବ୍ରହ୍ମହତ୍ୟା ପାପ କରିଥିଲେ,
ଏଥିରୁ ମୁକ୍ତି ପାଇଁ ସେ କପିଲାସ ପର୍ବତ ଉପରେ
ଘୋର ତପସ୍ୟା କରି ପାପମୁକ୍ତ ହୋଇଥିଲେ ।
ଏକ ପଥର ଅଛି ପର୍ବତର ଶିଖରରେ ସେହି
ତପସ୍ୟା ପୀଠ ନିକଟରେ
ଭିତରଟି ଫମ୍ପା ଥିବା ପରି ଶବ୍ଦ ଶୁଣା ଯାଉଛି
ଆଘାତ କଲେ ତା ଉପରେ ।
ରାଜା ଲାଙ୍ଗୁଳା ନରସିଂହ ଦେବ ଶିବ ମନ୍ଦିରକୁ
ପ୍ରତିଷ୍ଠା କରି ଥିଲେ ୧୨୪୬ ଖ୍ରୀଷ୍ଟାବ୍ଦରେ
ଶିବରାତ୍ରୀ ଅବା ଜାଗର ସମୟେ ଶିବଙ୍କ ବାସସ୍ଥାନ
ତିନି ଦିନ ଧରି ଚଳଚଂଚଳ ହୁଏ କପିଳାସରେ ।
ସବୁ ସ୍ମୃତି ଆଜି ନାଚି ନାଚି ଯାଏ ସେହି କପିଳାସର
ପରିବେଶ କିପରି ଶାନ୍ତ ଏବଂ ପ୍ରଦୂଷଣମୁକ୍ତ
ତାର ସୁନ୍ଦର ସବୁଜ ଭରା ଏବଂ ଅମ୍ଳଜାନ ସମୃଦ୍ଧ ବାୟୁ
ସହର ଜୀବନରୁ ବିବିଧତା ଆଣେ, ଏହା ନିଶ୍ଚିତ ।
କପିଳାସର ଜଳ ଅନେକ ରୋଗର ଉପଶମ ବୋଲି
ଅଛି ବିଶ୍ୱାସ ଜନ ସାଧାରଣଙ୍କର
କଟକ ଏବଂ ଢେଙ୍କାନାଳ ଜିଲ୍ଲାର ସୀମା ସୃଷ୍ଟି କରେ
ଚତୁର୍ପାଶର ପାହାଡ ଗୁଡିକ କପିଳାସର ।
ସେହି ମୋର ଗୌରବୋଜ୍ୱଳ ଢେଙ୍କାନାଳ ସହର
ଯାହା ଜ୍ଞାନୀଗୁଣୀଙ୍କ ବାସ ସ୍ଥଳ
ଗୌରବାନ୍ବିତ ହୁଏ ଅନେକ ଜନ୍ମ ତପ ଫଳରେ ମୁଁ
ପାଇଛି ମୋ ଜନ୍ମ ମାଟି ଢେଙ୍କାନାଳ ।
