ମୋ ଘରଣୀ
ମୋ ଘରଣୀ
ମୂଷା ପକାଇଲା ଦାଢ଼ି ତେଲକୁ,
ଛୁଟିପରେ ତୁମେ ଆସି ଘରକୁ
ପକାଇଲ ପାଦ ସେହି ତେଲରେ ଯେ
ପଡ଼ିଯାଇ ଥାପି ଦେଲ ହାତକୁ, ମୋ ଘରଣୀ ।
ଟେମ୍ପୁ ଡାକି ନେଲି ଡାକ୍ତରଖାନା,
କାମ କରିବାକୁ କଲେ ସେ ମନା
ଚଡ଼କ ପଡ଼ିଲା ମୁଣ୍ଡରେ ମୋର ଯେ
ରନ୍ଧାରନ୍ଧି କାମ ଦେବ ବେଦନା, ମୋ ଘରଣୀ ।
କରିଦେଲି ସିନା ସ୍କୁଲରୁ ଛୁଟି,
କରି ନ ଥିଲି ମୁଁ କେବେ ପାଇଟି
ଦେଖି ନ ଥିଲି ମୁଁ ରୋଷେଇ ଘର ଯେ
କେମିତି ସେକିବି ତାୱାରେ ରୁଟି, ମୋ ଘରଣୀ ।
ଷାଠିଏ ବରଷେ ରାନ୍ଧିଲି ଭାତ,
ଭାତ ଗାଲିବାରେ କଷ୍ଟ ବହୁତ
ହରଡ଼ ଡାଲିକୁ ପ୍ରେସର କୁକରେ
ରାନ୍ଧି ପଢ଼ିଲି ମୁଁ ସିଟି ଗଣିତ, ମୋ ଘରଣୀ ।
ମାଛ-ମାଂସ-ଅଣ୍ଡା ଭାରି ଆଦର,
ମସଲା ବାଟିବା ସପନ ମୋର
କଷିବା ରାନ୍ଧିବା ସିଟି ଗଣିବାକୁ
ଖାଇବିନି ପଛେ ନାହିଁ ମୋ ତର, ମୋ ଘରଣୀ ।
ତରକାରୀ-ଖଟା-ପଞ୍ଚଫୁଟଣ,
ହଳଦୀ-ମରିଚ ଦେଇଣ ଲୁଣ
କେମିତି ରାନ୍ଧିବି କଣ ବା' କରିବି
ଭାବି ଭାବି ମୋର ଅଧା ପରାଣ, ମୋ ଘରଣୀ ।
ବାପା-ମାଆ-ଭାଇ-ଭଉଣୀ-ଭାବି,
ଶିଖାଇ ପାରି ନ ଥିଲେ କେବେ ବି
ତୁମର ଧରମୁ ଶିଖୁଛି ରୋଷେଇ
ଖାଇବ ଆସ ମୁଁ ବାଢ଼ି ଯେ ଦେବି, ମୋ ଘରଣୀ ।
