STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମୋ ଗାଁ କଥା

ମୋ ଗାଁ କଥା

1 min
11.7K

ଉଷା ନଫିଟୁଣୁ ପକ୍ଷୀ କାକଳିରେ 

ଚଉଦିଗ ଉଠେ ସାନନ୍ଦେ ପୁରି,

ଗୋମୟ ଜଳରେ ପୁତ କରି ଦାଣ୍ଡ 

ଗ୍ରାମ୍ୟସତୀ ନଇଁ ଦିଏ ପହଁରି। 


ଚୂଲି ପାଉଁଶରୁ ଆଳୁପୋଡ଼ା କାଢ଼ି 

ପଖାଳ ସାଙ୍ଗରେ ଘରଣୀ ବାଢ଼େ,

ମୁଣ୍ଡେ ଠେକା ବାନ୍ଧି ସରଞ୍ଜାମ ଧରି 

ବିଲ ଆଭିମୁଖେ ଚାଷୀ ବାହାରେ।


ଶିଶିରସ୍ନାତ ସେ ତୋଟାମାଳେ ଶୁଭେ 

କୋକିଳର ଆତ୍ମବିଭୋର ସୁର,

ନଇ ସେପାରିରେ ଗାଇଆଳ ଗାଏ 

ଅବୁଝା ଗୀତର ଅଛିଣ୍ଡା ସ୍ୱର। 


ସୁନ୍ଦରୀ ଫୁଲେଇ ଲଳନା ମିଳିତେ 

ନଦୀ କୂଳେ ବସି ଆଳାପେ ମଜ୍ଜି,

ଥଟ୍ଟା ପରିହାସେ ଜଳକ୍ରୀଡ଼ା ରତ 

ଯଉବନ ଭରା ଅଙ୍ଗକୁ ମାଜି।


ଦେଇପିଣ୍ଡି ଚାଳ ମଥାନରୁ ଉଠେ 

ନୃତ୍ୟରତା ଉଷ୍ମ ଧୂମ୍ର କୁଣ୍ଡଳୀ,

ଅଗଣା ମଝିରେ ଭୋକେ କାନ୍ଦି ଗଡ଼େ 

ଉଲଗ୍ନ ବାଳକ ସର୍ବାଙ୍ଗ ଧୂଳି।


ଝାଳ ସରସର ଦେହେ ବିଲ ମଧ୍ୟେ 

ତର ତର ହୋଇ କାମ ତା ସାରେ,

ପୁତ୍ର ତାର ଧରି ଆସେ ଖାଦ୍ୟପୁଡ଼ା 

ଖାଏ ହିଡ ପରେ ଚାଖୁଣ୍ଡା ମୂଳେ।


ଗାଁ ମୁଣ୍ଡ ବର ଓସ୍ତ ଗଛ ଦୁହେଁ 

ସାଇଁ ସାଇଁ ସ୍ୱରେ ଆଳାପ ରତ,

ଦୂର ତାଳ ବଣ ଦ୍ୱିପ୍ରହର ଝାଞ୍ଜି 

ରୌଦ୍ର ପ୍ରହାରେ ସମ୍ପୂର୍ଣ କ୍ଳାନ୍ତ। 


ରବି ଧୀରେ ଧୀରେ ପଶ୍ଚିମେ ମୁହାଁଇ 

ରୌଦ୍ର ତେଜ ତେଜି ବିଦାୟୀ କାଳେ,

ଚଷା, ଗାଇଆଳ, ପକ୍ଷୀ ମାଳମାଳ 

ଘରମୁହାଁ ହୋଇ ଫେରନ୍ତି ତରେ।


ସୁର୍ଯ୍ୟ ବୁଡିଯାଏ ଦିଗନ୍ତ କ୍ରୋଡ଼ରେ 

ତମସା ଘନେଇ ଆସଇ ସଞ୍ଜ,

ଗ୍ରାମଦେବତୀଙ୍କ ମନ୍ଦିରେ ଆଳତୀ 

କମ୍ପେ ଘଣ୍ଟ ଘଣ୍ଟି ମୃଦଙ୍ଗ ଝାଞ୍ଜ।


ନିଶବ୍ଦ ରାତିର ଶୀତଳ କ୍ରୋଡ଼ରେ 

କ୍ଳାନ୍ତ ଗାତ୍ର ଯେତେ ବିଶ୍ରାମ ଉଦ୍ୟତ,

ମିଞ୍ଜିମିଞ୍ଜି ହୋଇ ଡିବିରି ଆଲୋକେ 

ଲହଲହ ହୁଏ ପ୍ରାଣ ଧୂମ୍ରଗ୍ରସ୍ତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract