ମୋ ଗାଆଁ
ମୋ ଗାଆଁ
ଆଶା ଆଉ ଉଦ୍ଦୀପନା ମାଳକୁ ଚଢ଼େଇ
ଚଉରା ମୂଳରେ ଯେବେ ଜାଳେ ସଂଜବତୀ,
ମନେପଡେ ମାଟିପିଣ୍ଡା, ଛଣଛାଣି ଘର;
ସାମ୍ନା ନଳକୂପ ପାଖେ
ପାଣି ପାଇଁ ଦିନ ଦ୍ୱିପ୍ରହରେ
ଗାଁ ମାଇପିଙ୍କ କୋଳାହଳ ।
ପଧାନ ସାହିଠୁ ବଡ ବେହେରା ସାହିଟା
ହିସାବ ବି କଲେ ସେ ଯେ ହୁଏ ନାହିଁ ଶେଷ,
ଲୋକବାକ ହାଉଯାଉ ଚଉତରା ପାଖେ;
ଝଙ୍କାଳିଆ ବରଗଛ ମୂଳେ
ଟୋକା ଠାରୁ ବୁଢା ଯାଏ ଭିଡ
କରିବାକୁ ଗୁଲିଖଟି, ଗପ ।
ଘଣ୍ଟାର ଆବାଜ ଶୁଭେ ଚାରିଟା ବାଜିଲେ
ଗାଁ ବିଦ୍ୟାଳୟ ଧିରେ ହୋଇଯାଏ ଛୁଟି,
ସିଲଟ, ବସ୍ତାନୀ ଧରି ଦଉଡନ୍ତି ପିଲେ;
ସାଙ୍ଗସାଥି, ଟିକି ଝିଅ ସାଥେ
ଖେଳିବାକୁ ବାଲି ଧୂଳି ଘର
ସିଙ୍ଘାଣି ନପୋଛି ଯାଆନ୍ତି ମାଡି ।
ବେଳ ଯେବେ ଯାଏ ବୁଡି ଅଦୂର ଆକାଶେ
ଗାଈଆଳ ଟୋକା ଆସେ ଧେନୁକୁ ସଜେଇ,
ବଇଁଶୀ ଅଗରେ ବାନ୍ଧି କୁରେଇଁର ଫୁଲ;
ମନ ମତାଣିଆ ସୁରେ ଗାଇଯାଏ ଗୀତ
ଦଣ୍ଡା ଗୋହିରୀରେ -
ଢ଼ାଳି ଢ଼ାଳି ପ୍ରୀତି ମନ୍ଦାକିନୀ ।
କିଟିମିଟି ଅନ୍ଧାରକୁ ପାଦରେ ଆଡେଇ
ଜହ୍ନ ଯେବେ ଆସେ ନଇଁ
ମୋ ଗାଆଁ ଆମ୍ବତୋଟା ପରେ,
ଅଝଟ ପୁଅର କୋଳେ ପଡ଼ିବାକୁ ଖସି;
ଧୋ ରେ ବାଇଆ ଧୋ ଗୀତ ଗାଇ
ବୋଉ ଡାକେ ନିଦ ମାଉସୀକୁ ।
କୁମ୍ଭାଟୁଆ ଡାକ ଛାଡେ ରାତି ହେଲେ ବେଶି
ମଶାଣି ପଦାର ବୁଢା ଆମ୍ବତୋଟା ମାଳେ,
ହୁସିଆର ଡାକଦେଲେ ଥରିଉଠେ ଦେହ;
ପେଚା, ଉଲ୍ଲୁକଠୁ ବେଶି ଡରଲାଗେ
ବିଡ଼ିଖିଆ ଚୌକିଦାର ପାଟିର ଆବାଜ ।
ଏ ଗାଆଁର ସୂର୍ଯ୍ୟ, ଚନ୍ଦ୍ର, ତାରା କଥା କହେ
ପ୍ରତିଟି ମଣିଷ ଦରଫୁଟା ଭାବନାରେ,
ମହ ମହ ଚମ୍ପାଫୁଲେ ଛଅ ଋତୁ ଦେଖେ;
ପାପ ପୂଣ୍ୟ ଭଲ ମନ୍ଦ ବୃନ୍ତଚ୍ୟୁତ ଫୁଙ୍ଗୁଳା ଶିଶୁକୁ
ହା ହୁତାଶ ଶେଷ ବସନ୍ତରେ ।
************