ମୋ ଗାଆଁ ସ୍ମୃତି
ମୋ ଗାଆଁ ସ୍ମୃତି
ଅତୀତର ସ୍ମୃତି ମନରେ ଆସଇ
ଗାଆଁ ମୋର କେତେ ଆପଣାର
ସବୁକିଛି ସେଇମିତି ଅଛି
ଗାଆଁ ଦାଣ୍ଡ ଗାଆଁ ପୋଖରୀ
ବିଲ ମାଳ କିଆ ଗୋହିରି,
ବିଦ୍ୟାଳୟ ଆମ୍ବତୋଟା କାଜୁବଣ
ଦକ୍ଷିଣ ଦିଗରେ ସେହି ଝାଉଁ ଜଙ୍ଗଲ
ପୋଖରୀରେ ଫୁଟିଥିବା ନୀଳ କଇଁ
ଗାଆଁ ଚହାଳୀର କୋଳାହଳ ଗାଆଁ ଭାଗବତ ଟୁଙ୍ଗୀ ଗ୍ରାମ ଦେବତୀ ମନ୍ଦିର
ବନ ଦୁର୍ଗାଙ୍କ ଆସ୍ଥାନ ଗାଆଁଠୁ ନାତି ଦୂରେ
ବହି ଯାଉଥିବା ନୀଳାମ୍ବୁ ଚିଲିକା
ନୀଳ ଜଳ ତା ଉପରେ ପହରୁଁଥିବା
ଅସଂଖ୍ୟ ରଙ୍ଗ ବେରଙ୍ଗର ବିହଙ୍ଗମ ଗଣ
ବିଲ ସବୁ ପଡିଆ ପଡ଼ିଛି,
ଲୋକେ ଅଳସୁଆ ହୋଇ ଆଉ କର୍ମଠ ନାହାନ୍ତି
ମାଗଣା ଚାଉଳ ସବୁତ ମାଗଣା
ରାଜନୀତି ହୋଇଛି ବେଉସା
ଛକାପଞ୍ଝା, ମଦ ବିକ୍ରି ନାରୀ ପ୍ରୀତି
ଦେହସୁହା ହୋଇଗଲାଣି
ଶାନ୍ତି ନାହିଁ ଭାଇଚାରା ବି ଚୁଲିକୁ ଗଲାଣି
ସବୁ ଥାଇ ମଧ୍ୟ ଆଉ କିଛି ନାହିଁ
କେତେଦିନ ଯେ ବଞ୍ଚିବା
ମନ ଅଛି ଉଦ୍ୟମ ନାହିଁ
ସେଇ ସ୍ମୃତି, ମୋ ଗାଆଁ ସଂସ୍କୃତିର ଅତୀତ
ଆସ ଏବେ ଫେରାଇ ଆଣିବା
ନିବେଦନ ଭାଇ ବନ୍ଧୁ କୁଟୁମ୍ୱଙ୍କ ପାଖେ ।
