ମୋ ଗାଆଁ ନଈ
ମୋ ଗାଆଁ ନଈ
ଶକତ ବନ୍ଧୁର ଶିଳା ବୁକୁଚିରି
ବିଲ, ବନ, ଗିରି ପଥେ
କଳ ନିନାଦିନୀ ପାହାଡୀ କନ୍ୟା ତୁ
ବହୁଅଛୁ ଜନପଦେ ।
ସ୍ୱର୍ଣ୍ଣାଭ ଗୋଧୂଳି ଅଳସୀ ସଞ୍ଜରେ
ଅସ୍ତଭାନୁ ହେମ କରେ
ଝଲସି ତୋଜଳେ ସପ୍ତବର୍ଣ୍ଣି ବିଭା
ତୋଳେ ଦିଗବଳୟ ତଳେ ।
ଚଉପାଶେ ଘେରା ସବୁଜ ବନାନୀ
ଶସ୍ୟ କ୍ଷେତ୍ର ଧାରେ ଧାରେ
ଚିର ସ୍ରୋତସ୍ୱିନୀ ପ୍ରାଚୀ ସୈକତିନୀ
ପ୍ରବାହିନୀ ଧୀରେଧୀରେ ।
ତୋର ସୁଧା ପାନେ ନର, ପଶୁପକ୍ଷୀ
କୀଟ ପତଙ୍ଗ, ପାଦପ
ପରମ ତୃପତି ଲଭନ୍ତି ସକଳେ
ତୁ ଜନନୀ ଛାୟାକଳ୍ପ ।
ନଈ ଆରପାରି ଘଞ୍ଚ ଝାଉଁ ବଣେ
କୁମ୍ଭାଟୁଆ ଡାକଦେଲେ
ମୋ ଗାଆଁ ଲଳନା ସାଥେ କୂଳବଧୁ
ତୋ ଜଳେ ସିନାନ ସାରେ ।
କୁଆଁତାରା ସଙ୍ଗେ ଚଲା ବଉଦରେ
ଲୁଚକାଳି ଖେଳେ ଜହ୍ନ
କିରିକିରି ହସେ ତାରାଫୁଲ ପନ୍ତି
ନୀରେ ଦିଶେ ପ୍ରତିଚିହ୍ନ ।
କୂଳେ ନିବାସିନୀ ଜଗତ କଲ୍ୟାଣୀ
ମଙ୍ଗଳ ମୟୀ ମଙ୍ଗଳା
ଆଦ୍ୟାଶକ୍ତି ମାଆ ପରମ ବୈଷ୍ଣବୀ
ଚଳାଏ ସଂସାର ଭେଳା ।
ନବକଳେବର ପାଇଁ କି ଦଇତା
ସେବକ ଶରଣ ଗଲେ
ସ୍ଵପ୍ନାଦେଶ ଦେଇ ଠିକଣା ବତାଏ
ଦାରୁବ୍ରହ୍ମ ସନ୍ଧାନରେ ।
ବିଶ୍ଵାମିତ୍ର ତୀର୍ଥ ଅଷ୍ଟ ଶମ୍ଭୁନାଥ
ପାତାଳ ଗରଭୁ ଉଠି
ପୂଜା ପାଉଛନ୍ତି ତୋର କୂଳେ କୂଳେ
କହେ ପ୍ରାଚୀ କିମ୍ବଦନ୍ତୀ ।
ଜାହ୍ନବୀ ଠୁ ବଡ଼ ଅଟୁ ବୋଲି ତୁହି
ଲେଖିଛି ପ୍ରାଚୀ ମହାତ୍ମ୍ୟ
ଜନ ଶ୍ରୁତି କହେ ଅମରେଶ୍ୱର ପୀଠେ
ରାବଣ ତପସ୍ୟା ସ୍ଥାନ ।
ଉର୍ବର ଉତ୍କୃଷ୍ଟ ନଦୀ ପଠା ଜମି
ପଟୁମାଟି ଭରପୁର
ଫଳାଏ ସୁନାର ଫସଲ କୃଷକ
ମୁଖରେ ହସ ଜୁଆର ।
ଶୀତଳ ମଧୁର ନିର୍ମଳ ଜଳକୁ
ସନ୍ତୋଷେ ସଭିଙ୍କୁ ବାଣ୍ଟୁ
କେବେକେବେ ବନ୍ୟା ପ୍ଲାଵିନୀ
ହୋଇ ତୁ
ଦୁଇ କୂଳ ଯାକ ଲଂଘୁ ।
ବୈଶାଖ ମାସରେ ବୁଦ୍ଧ ପୂର୍ଣ୍ଣିମାରେ
ନଈ କୂଳ ଯାତ ଲାଗେ
ତାଳସଜ ଖିରିକୋଳି ଲକାଆମ୍ବ
ଖାଇବାକୁ ଭିଡଲାଗେ ।
ନଦୀକୂଳ ବରମୂଳେ ସାଥୀମେଳେ
ମନେପଡେ ପିଲାବେଳ
ଉଦୁଉଦିଆ ଦିପ୍ରହର ଖରାରେ
ଡାଳ ମାଙ୍କୁଡ଼ିର ଖେଳ ।
କିତି କିତି,ବୋହୁଚୋରି, ଲୁଣୁଖାଇ
କଣ୍ଢେଇର ବାହାଘର
ବରପତର ରେ ମିଛେ ମିଛେ ବଢ଼ା
ବ୍ୟଞ୍ଜନ ନାନା ପ୍ରକାର ।
ସୁଖ ଭରପୁର ସେହି ପିଲାବେଳ
ଗାଆଁ ନଈ ସାକ୍ଷୀ ଅଛି
ଉତ୍ତର ଜୀବନେ ସପନ ବିଭୋରେ
ମନରୁ ପାରୁନି ପୋଛି ।
