ମୋ ଗାଆଁ ମୋ ମାଆ
ମୋ ଗାଆଁ ମୋ ମାଆ
ଗାଆଁଟି ମୋର ଭାରି ସୁନ୍ଦର
ତାହାରି କୋଳେ ଜନ୍ମ
ଏମିତି ଶାନ୍ତି କେଉଁଠି ନାହିଁ
କିଣି ନେଇଛି ମନ ।
ଛାତିରେ ତାର ଚାଲି ଶିଖିଲି
ଝୁଣ୍ଟିଲି କେତେ ଥର
ବାଲି ମାଟିକୁ ଖୁଣ୍ଟି ଖାଇଲି
ମଧୁର ସ୍ଵାଦ ତାର ।
ମଆ ପରଷା ଖାଇଲି ସୁଖେ
ବାପା ସାଥିରେ ବସି
ହାତ ଧରିକି ବିଲ ବୁଲିଲି
ନାଚି ଗାଇକି ଖୁସି ।
ଡାଳ ମାଙ୍କୁଡି କବାଡି ଖେଳ
ସାଙ୍ଗ ସାଥିର ମେଳେ
ପାଣି ପହଁରା ପଦୁଅଁ ତୋଳା
ବରଷା ଖରା ବେଳେ ।
କାହାଣୀ କୁହେ ବୁଢି ମାଆ ବସି
କାନ ଦେଇକି ଶୁଣେ
କେବେ ବାଘୁଣୀ କେବେ ଭୁତୁଣୀ
ସପନ କେତେ ବୁଣେ ।
ସାଥୀ ସଙ୍ଗାତ ହୋଇଲେ ଜାତ
ପାଠ ପଢାରେ ମନ
ବହି ବସ୍ତାନି କାନ୍ଧରେ ଧରି
ଅରଜେ କେତେ ଜ୍ଞାନ ।
ବିଦ୍ୟାଳୟ ମୋ ଭାରି ସୁନ୍ଦର
ଗୁରୁଜୀ ଦେବ ତୁଲ୍ୟ
ବିବେକ ବୁଦ୍ଧି ମନରେ ଦେଲେ
ଜଗତେ ହେଲି ଭଲ ।
ଗାଆଁ ମୁଣ୍ଡରେ ସୁଲେଇ ନଈ
ବହୁଛି ଧୀରେ ଧୀରେ
କୂଳରେ ତାର ହର ଦେବତା
ସଂସାର ତାଙ୍କୁ ସ୍ମରେ ।
ବଣେଇ ବଣ ଶୋଭା ପାଉଛି
ମୁହଁ ଟେକିଲେ ଦିଶେ
ମଝିରେ ତା'ର ଟିକି ପାହାଡ଼
ସବୁଜ ରଙ୍ଗେ ହସେ ।
ପୁଷ ମକରେ ମାଘ ମେଳାରେ
ଭୋଜିରେ ଲୋକ ଭିଡ
ଦୁଷ୍ଟାମୀ କଲେ ପୋଲିସ ଅଛି
ବସେଇ ଦେବେ ମାଡ ।
ଏଇ ଜଙ୍ଗଲ ପାଣି ପବନ
ଦେଇଛି ମୋତେ ସୁଖ
ତାହାରି କୋଳେ ବଡ଼ ହୋଇ ମୁଁ
ଭୂଲିଛି ସବୁ ଦୁଃଖ ।
ସହର ଠାରୁ ଭାରି ସୁନ୍ଦର
ମୋର ଏ ଜନ୍ମଭୂମି
ଯେତେ ଗାଇଲେ ଯେତେ ଲେଖିଲେ
ତଥାପି ମୁହିଁ ଋଣି ।
ଧନ୍ୟ ମୋହର ଉତ୍କଳ ମାତା
ଅଳି ବୁଝିଛୁ ମୋର
ତୋହରି କୋଳେ ଟିକି ଗାଆଁ ମୋ
ବୋହିବୁ ତାର ଭାର ।
