ମୋ ଗାଆଁ ହସୁଛି
ମୋ ଗାଆଁ ହସୁଛି
ସବୁଜ ଶୋଭାରେ ଭରପୂର ହୋଇ
ଛୋଟ ମୋର ଗାଆଁଟିଏ
ଭୂଗୋଳ ପୋଥିରେ ନଥିଲେ ନଥାଉ
ମୋ ପାଇଁ ତ ସ୍ୱର୍ଗ ସିଏ l
ଭାନୁ ଆଗମନେ ସିନ୍ଦୂରା ଫାଟିଲେ
ଅନ୍ତରୀକ୍ଷ ଦିଶେ ଶୋଭା
ସବିତା ମୟୂଖେ ମୋ ଗାଆଁ ସରସୀ
ଦିଶେ କେତେ ମନଲୋଭା l
ଜୁଇ ଜାଇ ମଲ୍ଲୀ ଉଲ୍ଲାସେ ଖେଳନ୍ତି
ବାସର ଆରମ୍ଭ ହେଲେ
ମଧୁବ୍ରତ ଆସି ତାହାଙ୍କ ମେଳରେ
ଉଲ୍ଲାସ ମନରେ ଖେଳେ l
ସୁନ୍ଦରୀ ରମଣୀ ସ୍ନାହାନେ ଯାଆନ୍ତି
ମଥାରେ ଓଢ଼ଣା ଟାଣି
ସାବୁନ ହଳଦୀ ସୁଗନ୍ଧିତ ତୈଳ
ସାଥିରେ ତାଙ୍କର ଆଣି l
ଯୋଗରାଜଙ୍କର ମନ୍ଦିର ରହିଛି
ତଡାଗ ଯିବା ରାସ୍ତାରେ
ସ୍ନାନ ସାରି ସର୍ବେ ଜୁହାର ହୁଅନ୍ତି
ଭକ୍ତି ରଖି ମାନସରେ l
କାସାର ଉଦକ ଦିଶଇ ନିର୍ମଳ
ପ୍ରତିବିମ୍ବ ଦିଶେ ତହିଁ
ତାମରସ କେତେ ବିକଶିତ ପୁଣି
ସର୍ବଜନ ମନ ମୋହି l
ସରିତର ପୟ କୁଳୁକୁଳୁ ନାଦେ
ଆହା ଯାଉଥାଏ ବହି
ପ୍ରଦୋଷ ସମୟେ ଉପବିଷ୍ଟ ହେଲେ
ଯନ୍ତ୍ରଣା ଯାଏ ଉଭାଇ l
ଗନ୍ଧବହ ତାଳେ ତାଳେ ଝୁମୁଥାଏ
ସ୍ୱର୍ଣ୍ଣଶୀର୍ଷ କ୍ଷେତେ ଧରା
ସନ୍ଧ୍ୟା ଆଳତିରେ ଘଣ୍ଟ ଶଙ୍ଖ ଧ୍ୱନି
ମନହୁଏ ଦିଗହରା l
ଘନସାର ଧୂପ ବାସ ଚତୁଃର୍ଦ୍ଦିଗେ
ମରୁତରେ ଆସେ ଭାସି
ଭାଗବତ ଟୁଙ୍ଗି ଠାରେ ଗୁରୁଜନ
କୀର୍ତ୍ତନ କରନ୍ତି ବସି l
ଗାଆଁ ବିଦ୍ୟାଳୟ ଉଦ୍ୟାନ ସଦୃଶ
ପୁଷ୍ପଜେ କୁସୁମେ ଭରା
କେତେ ଛାତ୍ରଛାତ୍ରୀ ଅଧୟନ କରି
ନାଆଁ ରଖିଛନ୍ତି ପରା l
ସ୍ୱଳ୍ପ ଶବ୍ଦ ନେଇ ବଖାଣିବା କଷ୍ଟ
ମୋ ଗାଆଁର ବିଷୟରେ
ବ୍ୟାଖ୍ୟାନ କରିବା ସମୟରେ ତାହା
ଲୁହ ଭରେ ନୟନରେ l
ମୋ ଗାଆଁ ହସୁଛି ପ୍ରଗତି କରିଛି
ହେଲେ ମନ କାହିଁ ଦୂରେ
ସପନ ତୁଟୁଛି ଜୀବନ ଧାଉଁଛି
ପୃଥିବୀର ଆରପାରେ ll
