ମୋ ଗାଆଁ ଡାକୁଛି
ମୋ ଗାଆଁ ଡାକୁଛି


ଯେଉଁ ମାଟି ମୋର ଭାରି ଆପଣାର
ସୌନ୍ଦର୍ଯ୍ୟର ଗନ୍ତାଘର
ଜନମି ଯେଉଁଠି ପହିଲେ ଶିଖିଲି
ସମ୍ପର୍କର ଇସ୍ତାହାର
ରୂପ ତାର ଚମତ୍କାର
ଆକର୍ଷଣ ଯାର ସରଗଠୁଁ ବଡ଼
ଦିବ୍ୟ ସୁଷମା ଭଣ୍ଡାର ll
ଦୁଇକଡ଼େ ଯାର ଶୋହେ କାଠଯୋଡ଼ି
ତାଳଦଣ୍ଡା ଜଳ ରାଶି
ମଳୟ ଯାହାର ଶୀତଳ ମଧୁର
ରକତେ ଯାଇଛି ମିଶି
ଡାକୁଛି ମୋତେ ସେ ହସି
ସେଇ ମୋର ଗାଆଁ ମାଠାରୁ ବଡ଼
ହୃଦୟେ ଭରିଛି ଖୁସି ll
ଧୂଳି ଧୂସରିତ ଯା' ମାଟି ସଡ଼କ
ଦୁଇ ପାଖେ ବୃକ୍ଷଭରା
ପାଦ ଥାପିଦେଲେ ଶିହରଣ ଜାଗେ
ଖୁସିରେ ମୁଁ ଆତ୍ମହରା
ଶୀତକି ବରଷା ଖରା
ଦିଗନ୍ତ ବିସ୍ତାରି ଶସ୍ୟ କ୍ଷେତ ଯାର
ସ୍ନିଗ୍ଧ ସବୁଜିମା ଭରା ll
ବାର ମାସେ ତେର ପରବ ଯେଉଁଠି
ମୋ ଗାଆଁ ଝଲକ ଆଣେ
ଶିକ୍ଷା ସଂସ୍କୃତି ର ଶ୍ରେଷ୍ଠ ସମାହାର
ଅତ୍ମୀୟତା ବୀଜ ବୁଣେ
ତା ଚଳଣି ମନ ଜିଣେ
ଜେଜେ ମାଆ ବାପା ଦାଦା ଖୁଡି ଅପା
ସମ୍ଭାଷଣ ପ୍ରତିକ୍ଷଣେ ll
ବିବାହ ବ୍ରତରେ ଯଜ୍ଞ ମଣ୍ଡପ ରେ
ମିଳିମିଶି ଭୋଜି ଭାତ
ନିଷ୍ଠା ଭରେ ସର୍ବେ ଦେଇଥାନ୍ତି ଶ୍ରମ
ହାତରେ ମିଳାଇ ହାତ
ଦଶହରା ଦୋଳ ଯାତ
ଏଇ ପଲ୍ଲୀପୁରେ ନୀତି ନିୟମରେ
ମୋ ଜୀବନ ଅଭିପ୍ରେତ ll
ଗୋଧୂଳି ବେଳାରେ ଗୋଠ ଫେରିଥାନ୍ତି
ଫେରନ୍ତି ବିଲରୁ ଚଷା
ନାନା ପରକାରେ ଜୀବିକା ନିର୍ବାହେ
କରନ୍ତି କୁଳ ବେଉସା
ଶ୍ରମ ସାଧନାର ନିଶା
ପରକୁ ଆପଣା ସଜାଇବା ପାଇଁ
କୁହନ୍ତି ମଧୁର ଭାଷା ll
ସେହି ମୋର ଗାଆଁ ଡିହସାହି ନାଆଁ
ତାର ପଦେ ନମଃ ନମଃ
ତା ଏନ୍ତୁଡ଼ିଶାଳ ଶମଶାନ ଭୂଇଁ
ଲାଗେ ସରଗର ଭ୍ରମ
କେହି ନୁହେଁ ତାର ସମ
ଯେଉଁଠି ଯେମିତି ରହିଲେ ବି ନିତି
ରଖିବି ତାହାର ନାମ ll