ମୋ ଦୁନିଆରେ ସଖୀ
ମୋ ଦୁନିଆରେ ସଖୀ
ଜୀବନର ପଥ କେତେ ଅଙ୍କା ବଙ୍କା
ଅନୁଭବୀ ଜାଣେ ଏକା
ସେ ଯାତ୍ରାପଥରେ ଅଚାନକ ମୋର
ସଖୀସହ ହୁଏ ଦେଖା I
ଅଜଣା ଅଶୁଣା ଦୁଇଟି ହୃଦୟ
ଯେବେ ଏକା ହୋଇଯାଏ
ଅଦିନେ ଫଗୁଣ ରଙ୍ଗ ବୋଳିଦିଏ
ପ୍ରୀତି ନଦୀ ବହିଯାଏ I
ଆଖିତଳେ ମୋର ଅସୁମାରି ସ୍ୱପ୍ନ
ହୃଦୟେ ପ୍ରୀତିର ଝର
କଣ୍ଠରେ ମୋହର ଅସରନ୍ତି ଶୋଷ
ଛନ୍ଦହୀନ ପ୍ରୀତିସ୍ୱର I
ସଖୀ ଯେ ମୋହର ସପନ ରାଇଜେ
ଗୋଲାପର ମୃଦୁ ହସ
ଯେତେ ଦେଖେ ତାକୁ ନୂଆ ଲାଗୁଥାଏ
ମୋ ଭିତରେ ଛୁଟେ ବାସ I
ସଖୀର ହସରେ ହସେ ମୋ ଦୁନିଆଁ
ଝୁମିଯାଏ ମୋ ଅନ୍ତର
ଭାବନାରେ ତାର କୁଳୁକୁଳୁ ସ୍ୱରେ
ବହେ କବିତାର ଝର I
କେଉଁ ଶିଳ୍ପୀ ଅବା କେଉଁ ରଙ୍ଗଦେଇ
ଆଙ୍କି ପାରିବ ତା ରୂପ
ନିଜେ ପରା ସିଏ ଶିଳ୍ପୀ ହୃଦୟର
ଅନ୍ତରଙ୍ଗ ଅଭିଲେଖ I
ପ୍ରେମର ମଶାଲ ଜାଳି ସେ ଦେଇଛି
ଆଲୋକେ ଭରିଛି ହୃଦ
ତା ପାଇଁକି ସଦା ଚଳ ଚଞ୍ଚଳ ମୁଁ
ଛୁଇଁନାହିଁ ଅବସାଦ I